ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦ ମହାଦୁର୍ନୀତି ନେଇ ଚର୍ଚ୍ଚାରେ ଥିବା ବେଳେ ଆଜି ପୁଣି ପୌର ପରିଷଦରେ କାର୍ଯ୍ୟରତ ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ୬ ମାସର ଇପିଏଫ୍ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୌର ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ଉମେଶ ମୁଖି, ଆକାଉଁଟାଣ୍ଟ ବିନୋଦ ନାଗ ଓ ନିର୍ବାହୀ ଅଧିକାରୀ ଆତସୀ ପରିଡାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଦଫା ୪୨୦ ଓ ୪୦୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନୁରୂପ ଭାବେ ଗତକାଲି ଜିଲ୍ଲା ସଫେଇ କର୍ମଚାରୀ ସଙ୍ଘ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି। ସେହିପରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ସଫେଇ କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ନିର୍ବାହୀ ଅଧିକାରୀଙ୍କ ମତାମତ ନେବାରୁ ଏନେଇ ପୂର୍ବତନ ଆକାଉଁଟାଣ୍ଟ ବିନୋଦ ନାଗଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।