ବିଜେପି କାଉନସିଲର ଓ ବିଜେଡି ପୌରଧ୍ୟକ୍ଷା ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌର ପରିଷଦରେ ବିଜେପି କାଉନସିଲରଙ୍କୁ ଅଣଦେଖା କରି କାର୍ଯ୍ୟାଦେଶ ବଣ୍ଟନ ପ୍ରତିବାଦରେ ଗତ ଶନିବାରଠାରୁ ପୌରପରିଷଦ ୱାର୍କ୍ସ ବିଭାଗରେ ତାଲା ପକାଇବାକୁ କେନ୍ଦ୍ର କରି ଆଜି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ପୌର କାର୍ଯ୍ୟାଳୟରେ କୌଣସି ସୂଚନା ବିନା ବିଜେପି କାଉନସିଲରମାନେ ୱାର୍କ୍ସ ବିଭାଗରେ ତାଲା ମାରିବା ଏବଂ ପୌରାଧ୍ୟକ୍ଷାଙ୍କ ସହ କୌଣସି ଆଲୋଚନା ହୋଇନଥିବା ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ପ୍ରକାଶ କରିଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ କାଉନସିଲରମାନେ ତାଲା ବନ୍ଦ କରିଥିବାବେଳେ ପୌରାଧ୍ୟକ୍ଷା ଶକ୍ତି ପ୍ରଦର୍ଶନ ପାଇଁ ଶତାଧିକ ଯୁବକଙ୍କୁ ଡ଼ାକିଥିବାରୁ ବିଜେପି କାଉନସିଲରଙ୍କୁ ସମର୍ଥନ କରି ସେମାନଙ୍କ ସମର୍ଥକ ପୌର କାର୍ଯ୍ୟାଳୟରେ ରୁଣ୍ଡ ହୋଇଥିବା ୬ ନମ୍ବର ୱାର୍ଡ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଜେପି କାଉନସିଲରମାନେ ଜାଣିଶୁଣି ଦେବଗଡ଼ ପୌର ପରିଷଦରେ ଅଶାନ୍ତି ସୃଷ୍ଟି କରିବା ସହ ଆଲୋଚନା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ପରିବର୍ତ୍ତେ ପୌର ପରିଷଦର ଉନ୍ନୟନମୂଳକ କାର୍ଯ୍ୟକ୍ରମର ବାଧକ ହେଉଥିବା ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ କହିଛନ୍ତି । ତେବେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୁଲିସ ଫୋର୍ସ ପୌର କାର୍ଯ୍ୟାଳୟରେ ପହଁଚି ତାଲା ପକାଇଥିବା ବିଜେପି କାଉନସିଲରଙ୍କ ସହ ଆଲୋଚନା କରିଛନ୍ତି। କାଉଁନସିଲ ହଲରେ ପୋରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ, ଏମଇ ସରସ୍ୱତୀ ମହାନନ୍ଦ, ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, କାର୍ତ୍ତିକ ମହାକୁଳ, ମଧୁସୂଦନ ବାଗ ଓ ଇତିଶ୍ରୀ ମିଶ୍ର ପ୍ରମୁଖଙ୍କ ସହ ଶାନ୍ତି ପ୍ରତିଷ୍ଠା ନେଇ ବୈଠକ ଜାରି ରହିଛି ।