ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କେରମେରି ପଞ୍ଚାୟତ ଲାଚୁଟ ଗ୍ରାମର ସରସ୍ଵତୀ ମହାନନ୍ଦଙ୍କ ପୁଅ ଓ ମନମୟ ମହାନନ୍ଦଙ୍କ ସାନ ଭାଇ ଚିନ୍ମୟ ମହାନନ୍ଦ ଓଏଏସ୍ (ଓଡିଶା ପ୍ରଶାସନିକ ସେବା) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ସେ ସର୍ବ ଓଡ଼ିଶା ସ୍ତରରେ ୨୪୦ ନମ୍ବର ରାଙ୍କ ହାସଲ କରି ସଇଁନ୍ତଲା ତଥା ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଚିନ୍ମୟ ସଇଁନ୍ତଲା ଶିଶୁମନ୍ଦିରରେ ଦଶମ ସାରିବା ପରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ କରିଥିଲେ। ପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁର ଠାରେ ଯୁକ୍ତ ତିନିର ଡିଗ୍ରୀ ହାସିଲ କରିବା ପରେ ରେଭେନ୍ସାରେ ସ୍ନାତକ ଡିଗ୍ରୀ ହାସିଲ କରି ଓଡ଼ିଶା ମାଇନିଙ୍ଗ କର୍ପୋରେଶନ ଭୁବନେଶ୍ଵରରେ କାର୍ଯ୍ୟରତ ଥାଇ ଓଡ଼ିଶା ପ୍ରଶାସନିକ ସେବା ପାଇଁ ସେ ପ୍ରସ୍ତୁତ କରୁଥିଲେ।
ଆଗରୁ ସେ ୬ ଥର ପରୀକ୍ଷା ଦେଇଥିଲେ, ହେଲେ ଏଥର ପରୀକ୍ଷାରେ ପାସ ହୋଇ ୨୪୦ ରାଙ୍କରେ ପାଇଥିବାରୁ ବହୁତ୍ ଖୁସି ଅଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ମାଆ ଓ ବଡଭାଇଙ୍କ ସମେତ ଗୁରୁଜନ ତଥା ସହକର୍ମୀଙ୍କୁ ଶ୍ରେୟ ଦେଇଛନ୍ତି।
ଏହି ଖବର ଜଣାପଡିବା ପରେ ସଇଁନ୍ତଲା ତଥା ଜିଲ୍ଲାର ବିଭିନ୍ନ ମହଲରୁ ଏବଂ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ୍ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ୍ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସାମ୍ବାଦିକ ଦେବେନ୍ଦ୍ର ଯୋଶୀ, ତରୁଣ ବେହେରା, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ସରପଞ୍ଚ ଅଶୋକ ସାହୁ, ବରିଷ୍ଠ ଆଇନଜୀବୀ ପ୍ରୀତି ସାଗର ମହାନନ୍ଦ ପ୍ରମୁଖ ଚିନ୍ମୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।