୬୮ ଲଢୁଆ ବିମାନ, ୧୩ ଜାହାଜ ଘେରିଲା, ତାଇୱାନର ଏତେ ପାଖରୁ କେବେ ହୋଇ ନଥିଲା ଚୀନର ଡ୍ରିଲ

ନୂଆଦିଲ୍ଲୀ,ଏଜେନ୍ସି: ଚୀନ ଓ ତାଇୱାନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ଜାରି ରହିଛି । ତାଇୱାନକୁ ଚୀନ ଚାରିପଟରୁ ଘେରି ସାରିଛି ଓ ୬ଟି ଗୁରୁତ୍ୱପୂର୍ଣ୍ଣ ବନ୍ଦରକୁ ଟାର୍ଗେଟ କରିଛି । ଲାଇଫ ଫାୟର ଡ୍ରିନ୍ ନାଁରେ ଯେଉଁଭଳି ଭାବରେ ଚୀନ ଶୁକ୍ରବାର ତାଇୱାନକୁ ଧମକାଇଛି ଓ ଡରାଇବାକୁ ଉଦ୍ୟମ କରିଛି, ଏଥିରୁ ସ୍ପଷ୍ଟ ଭାବେ ଦେଖାଯାଇପାରିବ ଯେ, ଚୀନ କ’ଣ କରିପାରିବ । କିନ୍ତୁ ତାଇୱାନ ମଧ୍ୟ ଚୀନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ଅନ୍ୟପଟରେ ଆମେରିକା ମଧ୍ୟ ଏହି ଘଟଣା ଉପରେ ନଜର ରଖିଛି ।

ଆମେରିକୀୟ ସ୍ପିକର ନେନ୍‌ସୀ ପେଲୋସୀଙ୍କ ତାଇୱାନ ଯିବା ଦ୍ୱାରା ବିଚଳିତ ହୋଇଥିବା ଚୀନ ଶୁକ୍ରବାର ମଧ୍ୟ ଯୁଦ୍ଧାଭ୍ୟାସ କରିଛି । ଏଥିରେ ୬୮ଟି ଯୁଦ୍ଧବିମାନ, ୧୩ ଜାହଜ ତାଇୱାନ ସମୁଦ୍ର ନିକଟରେ ଅଭ୍ୟାସ କରିଛି । ତାଇୱାନ ଅଭିଯୋଗ ଆଣିଛି ଯେ, ଚୀନ ଜଳସନ୍ଧୀର ଉଲ୍ଲଂଘନ କରିଛି । ଏଭଳି କାମ କରି ଚୀନ ମାହୋଲ ବିଗାଡୁଛି ।

ସୂଚନାଯୋଗ୍ୟ, ଗୁରୁବାର ମଧ୍ୟ ଚୀନ ଯୁଦ୍ଧାଭ୍ୟାସ କରିଥିଲା । ତାଇୱାନ୍‌କୁ ଡରାଇବା ପାଇଁ ଚୀନ ମିସାଇଲ ମାଡ଼ କରିବା ସହିତ ୧୦୦ ଲଢୁଆ ବିମାନ ଉଡାଇଥିଲା । ପିପୁଲ ଲିବ୍ରେଶନ ଆର୍ମି (ପିଏଲଏ)ର ନାଭାଲ ରିସର୍ଚ୍ଚ ଏକାଡେମିରେ କାର୍ଯ୍ୟରତ ଗବେଷକ ଝାଙ୍ଗ ଜୁନ୍‌ଶେ ଚୀନ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ, ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସେନାର ବଡ଼ ଡ୍ରିଲ ଚାଲିବ । ଏହି ଅଭ୍ୟାସରେ ଚୀନ ଦ୍ୱାରା ଏକ ନ୍ୟୁକ୍ଲିୟର ସବମରୀନକୁ ମଧ୍ୟ ମୁତୟନ କରାଯିବ । ଏହି ଅଭ୍ୟାସରେ ସମସ୍ତ ଥିଏଟର କମାଣ୍ଡ ଅଂଶଗ୍ରହଣ କରିବେ । ଅର୍ଥାତ ଚୀନ ଏକ ବଡ଼ଧରଣର ସେନା ଅଭ୍ୟାସ କରିବ । ଏହାର ଅର୍ଥ ତାଇୱାନକୁ ଚେତାବନୀ ଦେବା ।

ତାଇୱାନକୁ ଚୀନ ଡରାଉଛି । କିନ୍ତୁ ତାଇୱାନ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଚୀନ ଆଗରେ ସହଜରେ ଆତ୍ମସମର୍ପଣ କରିବା ଭଳି ସ୍ଥିତିରେ ନାହିଁ । ନିଜ ଦେଶକୁ ରକ୍ଷା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି । ତାଇୱାନର ରାଷ୍ଟ୍ରପତି ଏକ ବୟାନରେ କହିଛନ୍ତି ଯେ, ଚୀନ ଏହି ସମୟରେ ତାଇୱାନର ଆଖପାଖ ଅଞ୍ଚଳରେ ସେନା ଅଭ୍ୟାସ କରୁଛି । ବେଜିଂରୁ ସଂଯମତାର କାମ କରୁ ବୋଲି ସେ ଅପିଲ କରିଛନ୍ତି । ତାଇୱାନ ବିବାଦକୁ ବଢ଼ାଇବା ପାଇଁ ଚାହୁଁନାହିଁ । କିନ୍ତୁ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବ ।