ଭାରତ ସହ ଆଉ ଏକ ବୈଠକ ପାଇଁ ଚୀନ୍ ରାଜି

ବେଜିଂ,ଏଜେନ୍ସି: ପୂର୍ବ ଲଦାଖ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ପ୍ରାୟ ଏକ ବର୍ଷ ହେବ ଭାରତ ଓ ଚୀନ୍ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଉଭୟ ଦେଶ ମଧ୍ୟରେ ଏକାଧିକ ରାଉଣ୍ଡ ଆଲୋଚନା ପରେ ଚଳିତ ବର୍ଷ ଫେବୃଆରୀରେ ଲଦାଖ ସଂଲଗ୍ନ ସୀମା ନିକଟରୁ ଚୀନ୍ ଓ ଭାରତ ନିଜର ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରିନେଇଥିଲେ ସୁଦ୍ଧା ଦେପ୍‌ସାଙ୍ଗ୍‌, ଗୋଗ୍ରା ଓ ହଟ୍‌ସ୍ପ୍ରିଙ୍ଗ୍‌ସ ଅଞ୍ଚଳ ଏବେ ସୁଦ୍ଧା ଉତ୍ତେଜନାପ୍ରବଣ ରହିଛି। ଚୀନ୍ ଏଠାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିଥିବାରୁ ଭାରତକୁ ମଧ୍ୟ ଅନୁରୂପ ପଦକ୍ଷେପ ନେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ ଭାରତ ସହ ଆଉ ଏକ କମାଣ୍ଡରସ୍ତରୀୟ ବୈଠକ କରିବାକୁ ଚୀନ୍ ଆଗ୍ରହ ପ୍ରକାଶ କରିଛି। ତାରିଖ ନିର୍ଦ୍ଦିଷ୍ଟ ହୋଇନଥିବାବେଳେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ସୀମା ପ୍ରସଙ୍ଗରେ ଏଭଳି ଆଉ ଏକ ବୈଠକ ଆୟୋଜନ କରାଗଲେ, ଏହି ସମସ୍ୟାର ସ୍ଥାୟୀ ସମାଧାନ ଘଟିବ ବୋଲି ଉଭୟପକ୍ଷ ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଏପ୍ରିଲ ୯ରେ ଚୁସୁଲ-ମୋଲଡୋ ସୀମାରେ ଶେଷଥର ପାଇଁ ଫ୍ଲାଗ ବୈଠକ ଅନୁଷ୍ଠିତ ହୋଇଥିଲା। ସୀମା ବିବାଦ ନେଇ ଦୁଇପକ୍ଷ ମଧ୍ୟରେ ବାକ୍‌ଯୁଦ୍ଧ ଅବ୍ୟାହତ ରହିଛି। ଚୀନ୍ ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରି ବାସ୍ତବ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥାକୁ ବଦଳାଇବାକୁ ଚକ୍ରାନ୍ତ କରୁଛି ବୋଲି ଭାରତ ଅଭିଯୋଗ କରୁଛି। ଅପରପକ୍ଷରେ ସୀମା ପ୍ରସଙ୍ଗରେ କେବଳ ଚୀନ୍‌କୁ ଦୋଷ ଦେଇ ଭାରତ ବିଶ୍ୱ ଦରବାରରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ କୂଟନୈତିକ ଚାଲ୍ ଖେଳୁଛି ବୋଲି ଚୀନ୍ ପାଲଟା ଅଭିଯୋଗ କରୁଛି।