ଜିଲ୍ଲା ଶିଶୁ ବିଭାଗ ପକ୍ଷରୁ ଶିଶୁ ସଂସଦ କାର୍ଯ୍ୟକ୍ରମ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଶିଶୁ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, କନ୍ୟା ସନ୍ତାନ ସୁରକ୍ଷା, ଶିଶୁ ମିତ୍ର ପୁଲିସ ଓ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂସଦ ଢାଞ୍ଚାରେ ରାଜନୈତିକ ଦଳର ନେତୃବୃନ୍ଦ ବାଚସ୍ପତି ଭୂମିକାରେ ଶିଶୁ ସଂସଦ ପରିଚାଳନା କରିଥିବାବେଳେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଶାସକ ଓ ବିରୋଧୀ ଦଳ ମୁଖପାତ୍ର ଭୂମିକା ଗ୍ରହଣ କରିଥିଲେ। ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଶିଶୁଙ୍କୁ ନେଇ ଗ୍ରହଣ କରିଥିବା ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଭାବେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଦେବଗଡ଼ ପୌରପରିଷଦ ଅଧ୍ୟକ୍ଷ ଶାନ୍ତି ମଞ୍ଜରୀ ଦେଇ, ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ଜିଲ୍ଲା କୃଷକ ସଂଘର୍ଷ ସଂଘ ସଭାପତି ସେମ ହେମରାମ୍ବ, ଜିଲ୍ଲା ଓକିଲ ସଂଘ ସଭାପତି ସଚ୍ଚିକାନ୍ତ ଦାଶ ଓ ବିଜେପି ଉପସଭାପତି ଭାରତ ଭୂଷଣ ପ୍ରଧାନ ପ୍ରମୁଖ ଦାୟିତ୍ୱ ତୁଲାଇ ଥିବାବେଳେ ବିଚାରକ ଭାବେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅତୁଲ୍ୟ କୁମାର ପୁଝାରୀ, ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ, ଦିଲ୍ଲୀପ କୁମାର ଗୁରୁ, ଜେଜେବିର ସଦସ୍ୟା ଜ୍ୟୋତ୍ସ୍ନାରାଣୀ ମିଶ୍ର ଓ ପୂର୍ବତନ ସଦସ୍ୟା ଅନୁପମା ରାଉତ ଦାୟିତ୍ୱ ତୁଲାଇ ଥିଲେ । ଶିଶୁ ସଂସଦ କାର୍ଯ୍ୟକ୍ରମରେ ସରକାରୀ ବାଳିକା ବିଦ୍ୟାଳୟ ଚମ୍ପିୟାନ ହୋଇଥିବାବେଳେ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟ ରନର୍ସଅପ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କୃତି ଶିଶୁ ସାଂସଦଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।