ଚାଇଲ୍ଡଲାଇନ ଦ୍ୱାରା ଶିଶୁ ଅଧିକାର ସଂପର୍କିତ କାର୍ଯ୍ୟକ୍ରମ ଉଦଯାପିତ

ଶିଶୁଙ୍କ ସୁରକ୍ଷା ସମାଜର ପ୍ରତ୍ୟେକ ବ୍ୟକ୍ତିର କର୍ତବ୍ୟ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଚାଇଲ୍ଡଲାଇନ ପକ୍ଷରୁ ଚାଲିଥିବା ଶିଶୁ ଅଧିକାର ସମ୍ପର୍କିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ବୁଧବାର ସଂସ୍କୃତି ଭବନରେ ଉଦଯାପିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁପ୍ରଭା ସେଠ ଯୋଗ ଦେଇ କହିଛନ୍ତି ଶିଶୁମାନଙ୍କର ସୁରକ୍ଷା ସମାଜର ପ୍ରତ୍ୟେକ ବ୍ୟକ୍ତିର କର୍ତବ୍ୟ। ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରି ଉଚିତ ଶିକ୍ଷା ଦେଲେ ଆଗାମୀ ଦିନରେ ଏକ ଉନ୍ନତ, ସ୍ୱଚ୍ଛ, ବିକଶିତ ଓ ଅପରାଧମୁକ୍ତ ସମାଜ ଗଠନ କରାଯାଇ ପାରିବ। ସେହିପରି ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ ପଣ୍ଡା କହିଛନ୍ତି ଲୋକଙ୍କ ମନରେ ଅନେକ ସମୟରେ ଶିଶୁଙ୍କ ପ୍ରତି ଖରାପ ଭାବନା ଆସୁଛି। ଫଳରେ ଶିଶୁମାନଙ୍କ ଉପରେ ଅତ୍ୟାଚାର ହେବାସହ ସେମାନେ ଅସୁରକ୍ଷିତ ମନେ କରୁଛନ୍ତି।

ଲୋକଙ୍କ ମନେରେ ଉପୁଜୁଥିବା ଏହି ଖରାପ ଭାବନାକୁ ଦୂରକରି ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ। ତେଣୁ ସମସ୍ତ ବ୍ୟକ୍ତି ବିଶେଷ ଶିଶୁ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସେମାନଙ୍କୁ ଏକ ଭୟମୁକ୍ତ ଓ ସୁରକ୍ଷିତ ବାତାବରଣ ଦେବାରେ ସହାୟକ ହୁଅନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶି ସାହୁ ଶିଶୁମାନଙ୍କୁ ସୁରକ୍ଷାର ବାର୍ତା ଦେଇ କହିଛନ୍ତି କୌଣସି ଶିଶୁ ପ୍ରତି ଅତ୍ୟାଚାର ହେଉଥିବା ଦେଖିଲେ ଅବା ଜାଣିବାକୁ ପାଇଲେ ତୁରନ୍ତ ଚାଇଲ୍ଡ ଲାଇନ ମାଗଣା ଫୋନ ସେବା ୧୦୯୮କୁ ଖବର ଦିଅନ୍ତୁ। ଏହାଦ୍ୱାରା ଚାଇଲ୍ଡ ଲାଇନ ତୁରନ୍ତ ଶିଶୁ ସୁରକ୍ଷିତ ଉଦ୍ଦାର କରି ପାରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଶିଶୁ ମଙ୍ଗଲ କମିଟି ଅଧ୍ୟକ୍ଷା ଆନନ୍ଦିନୀ ପାଢି, ଜିଲ୍ଲା ଶ୍ରମ ଅଧିକାରୀ କୃଷ୍ଣମୋହନ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା କଲ୍ୟାଣ ପ୍ରମୁଖଙ୍କ ସହ ବିଭିନ୍ନ ସରକରୀ କର୍ମଚାରୀ, ଶିଶୁ ଯତ୍ନ ଅନୁଷ୍ଠାନ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଶିଶୁ ସୁରକ୍ଷା ପାଇଁ ଅନୁଷ୍ଠିତ ହୋଇଥିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କୁଇଜ ପ୍ରତିଯୋଗୀତା, ଚିତ୍ରାଙ୍କନ ପ୍ରତିଯୋଗୀତା, ସଚେତନାତା ର୍ୟାଲି, ଦସ୍ତଖତ ଅଭିଯାନ ଆଦି କରାଯାଇଥିଲା। ଶିଶୁ ସୁରକ୍ଷାକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ଉନ୍ନତ ପ୍ରଦର୍ଶନ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।