ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ: ଖର୍ଚ୍ଚ ହେବ ୪୨ କୋଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ପ୍ରାଚୀନ ଶକ୍ତିପୀଠ ମା’ ତାରାତାରିଣୀ ଓ ମା’ କଟକ ଚଣ୍ଡୀଙ୍କ ପରେ ଝଙ୍କଡ଼ସ୍ଥିତ ଶାରଳା ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ ଓ ବର୍ଷକ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ୱାରା ନିର୍ମିତ ଶାରଳା ମନ୍ଦିର ରାଜ୍ୟର ପୁରାତନ ଶକ୍ତି ଓ ମାତୃ ଉପାସନା ପୀଠ। ମା’ଙ୍କ ଆଶୀର୍ବାଦ ପାଇଁ ଏଠାରେ ସବୁବେଳେ ଭକ୍ତମାନଙ୍କ ଭିଡ଼ ଲାଗି ରହିଥାଏ।

ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ତ୍ତ ବିଭାଗ ଦ୍ୱାରା ଶାରଳା ମନ୍ଦିର ଉନ୍ନତିକରଣ ସଂକ୍ରାନ୍ତ ମାଷ୍ଟରପ୍ଲାନ୍ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଇଥିଲା। ଏହି ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ ଓ ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଉନ୍ନତିକରଣ ମଧ୍ୟରେ ମା’ ଶାରଳା ମନ୍ଦିର ପରିସରରେ ଥିବା ମନ୍ଦିରଗୁଡ଼ିକ, ପୁଷ୍କରଣୀର ଉନ୍ନତିକରଣ ସହ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ନିର୍ମାଣ ଏବଂ ଐତିହ୍ୟ ପାଚେରୀ ନିର୍ମାଣ କରାଯିବ। ଏହାବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜାର,ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ।

ସେହିପରି ଯାତ୍ରୀ ଓ ସେବାୟତମାନଙ୍କ ସୁବିଧା ପାଇଁ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୁଲିସ କଣ୍ଟ୍ରୋଲ ରୁମ୍‌, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ଯାତ୍ରୀ ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ। ଏବେ ରହିଥିବା ସପିଂ କମ୍ପେ୍ଲକ୍ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ସେଠାରେ ଗାଡ଼ି ମୋଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ।

ଝଙ୍କଡ଼ ପୀଠ ସହିତ ଓଡ଼ିଆ ସାହିତ୍ୟର ଉନ୍ମେଷ ଜଡ଼ିତ। ମା’ଙ୍କ କୃପାରୁ ସାରଳା ଦାସ ସିଦ୍ଧି ଲାଭ କରି ଓଡ଼ିଆ ଭାଷାରେ ମହାଭାରତ ରଚନା କରି ଓଡିଆ ସାହିତ୍ୟରେ ନୂଆ ଯୁଗର ଆରମ୍ଭ କରିଥିଲେ। ଆଦିକବିଙ୍କ ସ୍ମୃତିରେ ନଣ୍ଡା ଦେଉଳ ବରଗଛ ନିକଟରେ ସାରଳା ଦାସଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ମଧ୍ୟ ଚଉଡ଼ା କରାଯିବ ବୋଲି ଜଣାପଡ଼ିଛି। ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏବେ ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି।