ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ

ନୂଆପଡ଼ା,ଏନ୍ଏନ୍ଏସ୍: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଶ୍ରୀ ମହାପାତ୍ର ସଦର ବ୍ଲକ ଗୋତମା ଏୟାର ଷ୍ଟ୍ରିପରେ ଏକ ସ୍ଵତନ୍ତ୍ର ବିମାନରେ ଅବତରଣ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଥମେ ସିଲଦାସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ସେଠାରେ ହସ୍ପିଟାଲର ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ମୁକାବିଲା ଉପରେ ସମୀକ୍ଷା କରିଥିଲେ। ପ୍ରାୟ ସାଢ଼େ ୧୧ଟାରେ ଶ୍ରୀ ମହାପାତ୍ର କଳାହାଣ୍ଡି ଜିଲ୍ଲା ଅଭିମୁଖେ ବାହାରିଥିଲେ । ଏହି ସମୟରେ ତାଙ୍କ ସହ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ସ୍ଵାସ୍ଥ୍ୟ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶକ ସିବିକେ ମହାନ୍ତି ଓ ସ୍ଵାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ଏହାର ପ୍ରଭାବରେ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ସଂକ୍ରମଣ ବଢ଼ିବାରେ ଲାଗିଛି । କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି।