ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମହିଳା ନକ୍ସଲ

ରାୟପୁର,ଏଜେନ୍ସି: ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ଛତିଶଗଡ ଦନ୍ତେଓ୍ବାଡାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୁଣ୍ତ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କାଟାକଲ୍ୟାଣ ଥାନା ଅଞ୍ଚଳ ଅଧୀନରେ ଅଡଓ୍ବାଲ କୁଞ୍ଚେରାଶ ଗାଁ ମଝିରେ ନକ୍ସଲ ଥିବା ନେଇ ସୁରକ୍ଷା ବାହିନୀ ଖବର ପାଇଥିଲେ। ପରେ ଡିଆରଜି ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ। ମହିଳା ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ଯାହାର ପ୍ରତି ଜବାବ ଦେଇଥିଲେ ସୁରକ୍ଷାବାହିନୀ।

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳି ପଡିଥିଲେ ୩ ମହିଳା ନକ୍ସଲ। ପରେ ଘଟଣାସ୍ଥଳରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ୩ ଜଣ ହେଉଛନ୍ତି ରାଜେ ମୁଚାକି, ଗୀତା ମାର୍କମ୍ ଏବଂ ଜ୍ୟୋତି ଛଦ୍ମନାମ (ଭୀମେ ନୁପୋ) ବୋଲି ଜଣାପଡିଛି। ଯେଉଁମାନେ ମାଓବାଦୀଙ୍କ କାଟେକାଲିଆନ କ୍ଷେତ୍ର କମିଟିର ସକ୍ରିୟ ସଦସ୍ୟ ଥିଲେ। ପ୍ରତ୍ୟେକଙ୍କ ମୁଣ୍ତ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ଘଟଣାସ୍ଥଳରୁ ସ୍ଥାନରୁ ଗୋଟିଏ ୧୨ ବୋର ବନ୍ଧୁକ, ଦୁଇଟି ଦେଶ ନିର୍ମିତ ରିଭଲଭର, ଗୋଟିଏ ମୁଜ ଲୋଡିଂ ବନ୍ଧୁକ, ଦୁଇଟି ଆଇଡି, ଔଷଧ ଓ କିଛି ବିଦ୍ୟୁତ ତାର ଜବତ କରାଯାଇଛି। ଏନେଇ ଦନ୍ତେୱାଡାର ଏସପି ସୂଚନା ଦେଇଛନ୍ତି।