ସୀମାନ୍ତ ବଜାରରେ ଛତିଶଗଡ଼ର ବେପାରୀ ଓ ଖାଉଟି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଛତିଶଗଡ଼ରେ ଏବେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଛତିଶଗଡ଼ରୁ କରୋନା ଯେମିତି ଓଡ଼ିଶାରେ ନ ବ୍ୟାପେ ସେଥିପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସୀମା ସିଲ କରିଛି। ହେଲେ ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର ଅନେକ ଗ୍ରାମଦେଇ ଲୋକେ ଅବାଧରେ ଓଡ଼ିଶା ଭିତରକୁ ପଶି ଆସୁଛନ୍ତି। ଲଖନପୁର ବ୍ଲକ ଏମ କଁଟାପାଲି ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ସୀମା ସିଲ ପାଇଁ ଜିଲ୍ଲା ପ୍ରାଶାସନ ନିର୍ଦ୍ଦେଶ ଦେବା ପରେ ଗ୍ରାମବାସୀ ଓ ପଂଚାୟତ କର୍ତୃପକ୍ଷ ମିଶି କଁଟାପାଲିଠାରେ ଛତିଶଗଡ଼ର ପ୍ରବେଶ ପଥକୁ ସିଲ କରିଥିଲେ। ତେବେ ଏହାକୁ ଗତକାଲି ରାତିରେ ଛତିଶଗଡ଼ରୁ ଓଡ଼ିଶାକୁ ଯାତାୟାତ କରୁଥିବା ଲୋକେ ଖୋଲି ଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏମିତିକି କଁଟାପାଲି ଗ୍ରାମରେ ବସୁଥିବା ବଜାରକୁ ମଧ୍ୟ ଆଜି ଛତିଶଗଡ଼ରୁ ବେପାରୀ ଆସି ଦୋକାନ ଲଗାଇବା ସହ ଖାଉଟିମାନେ ଆସି ବିଭିନ୍ନ ସାମଗ୍ରୀ କିଣାବିକା କରିଥିବା ଗ୍ରାମବାସୀମାନେ କହିଛନ୍ତି। ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାକାର ଲୋକେ କଁଟାପାଲି ଗ୍ରାମ ଦେଇ ଯାତାୟାତ କରୁଥିବାରୁ ଗ୍ରାମବାସୀମାନେ ଭୟଭୀତ ଥିବା ପ୍ରକାଶ କରିଛନ୍ତି। ବିଶେଷ କରି ଏହି ଗ୍ରାମ ଦେଇ ଅନେକ ଲୋକ ଛତିଶଗଡ଼ସ୍ଥିତ ଏମଏସପି କାରଖାନାକୁ କାମ କରିବା ପାଇଁ ଯାଆନ୍ତି। ତେଣୁ ସେଠାରୁ ଯଦି କେହି ସଂକ୍ରମିତ ହୋଇ ଫେରନ୍ତି ତେବେ ଆଖପାଖ ଗ୍ରାମ ଗୁଡ଼ିକରେ ବ୍ୟାପିଯିବ। ଫଳରେ ଛତିଶଡ଼କୁ ଲାଗି ରହିଥିବା ଗ୍ରାମଗୁଡ଼ିକର ପ୍ରବେଶ ପଥକୁ ସିଲ କରାଯାଇ ଏଠାରେ ପୁଲିସ ଫୋର୍ସ ମୁତୟନ କରି ଦିନରାତି ଚେକିଂ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

ଅନ୍ୟପଟେ ଏନେଇ ଅଧିକ ସୂଚନା ପାଇଁ ଉପଜିଲ୍ଲାପଳ ଶିବ ଟପ୍ପୋଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସମ୍ଭବ ହୋଇନଥିଲା । ତେବେ ଏନେଇ ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେଙ୍କୁ ପଚାପରିବାରୁ ଛତିଶଡ଼ ଓ ଓଡ଼ିଶା ମଧ୍ୟରେ ବ୍ୟବସାୟିକ ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ। ଓଡ଼ିଶାର ଲୋକେ ଛତିଶଗଡ଼କୁ ଯାଇ ଏବଂ ଛତିଶଗଡ଼ର ଲୋକେ ଓଡ଼ିଶାକୁ ଆସି ବିଭିନ୍ନ ସାମଗ୍ରୀ କିଣାବିକା କରିପାରିବେ। ତେବେ ଛତିଶଗଡ଼ର ଲୋକେ ଯଦି କଁଟାପାଲି ଗ୍ରାମରେ ସିଲ କରାଯାଇଥିବା ପଥକୁ ଖୋଲି ବିନା ଅନୁମତିରେ ଯାତାୟାତ କରୁଥିବେ ତା’ ଉପରେ ରୋକ ଲଗାଯାଇ ପୁଣି ସେହି ସ୍ଥାନକୁ ସିଲ କରାଯିବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।