ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ପଦରୁ ଇସ୍ତଫା ଦେଇଛନ୍ତି । ଚେତନ ନିକଟରେ ଏକ ନ୍ୟୁଜ ଚ୍ୟାନେଲର ଷ୍ଟିଙ୍ଗ ଅପରେସନ ଯୋଗୁ ବିବାଦ ଘେରକୁ ଆସିଥିଲେ । ଉକ୍ତ ଷ୍ଟିଙ୍ଗରେ ଚେତନ ଭାରତୀୟ କ୍ରିକେଟ ଟିମର ଅନେକ ଖେଳାଳୀଙ୍କ ନାଁ ନେଇଛନ୍ତି । ସେ ଅନେକ ବିବାଦିତ କଥା ମଧ୍ୟ କହିଛନ୍ତି । ଏହାପରେ ତାଙ୍କ ପଦକୁ ନେଇ ସଙ୍କଟ ଦେଖା ଦେଇଥିଲା । ଆଉ ଆଜି ଚେତନ ବିସିସିଆଇ ସଚିବ ଜୟ ଶାହାଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ଇସ୍ତଫା ମଧ୍ୟ ସ୍ୱୀକାର ହୋଇଯାଇଥିବା ନେଇ ସୂଚନା ମିଳିଛି । ମୁଖ୍ୟ ଚୟନକର୍ତ୍ତା ରୂପେ ଏହା ଚେତନଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଥିଲା ।

ସୂଚନାଯୋଗ୍ୟ, ଉକ୍ତ ଷ୍ଟିଙ୍ଗ ଅପରେସନରେ ଚେତନ ଶର୍ମା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକଙ୍କ ଫିଟନେସ ଉପରୁ ବଡ଼ ପରଦା ଉଠାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ ପାଇଁ ବହୁବାର ତାଙ୍କ ଘରକୁ ଆସିଥିବା ମଧ୍ୟ ଉଲ୍ଲେଖ କରିଥିଲେ । ଏହି ଷ୍ଟିଙ୍ଗ ପରେ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିଲା ।