ଆଇପିଏଲ ୨୦୨୧: ମୁମ୍ଵାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ, ଏଥିସହ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଲା ଚେନ୍ନାଇ

ଦୁବାଇ,ଏଜେନ୍ସି: ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇ ଯାଇଛି। ଆଉ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଋତୁରାଜ ଗାଏକୋଓ୍ଵାଡଙ୍କ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ବଳରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ ୮ଟି ମ୍ୟାଚରୁ ୬ ବିଜୟ ଏବଂ ୧୨ ପଏଣ୍ଟ ସହ ତାଲିକାର ଶୀର୍ଷକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ବି ଋତୁରାଜଙ୍କ ୮୮ ରନର ଅପରାଜିତ ଇନିଂସ ବଳରେ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିବାକୁ ସକ୍ଷମ ହୋଇଛି। ସୌରଭ ତିଓ୍ଵାରୀଙ୍କ ଅପରାଜିତ ୫୦ ରନ ମୁମ୍ବାଇକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ଚେନ୍ନାଇ ପକ୍ଷରୁ ଡ୍ଵେନ ବ୍ରାଭୋ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି।

୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ଵାଇକୁ ୧୮ ରନରେ ପ୍ରଥମ ଝଟକା ଲାଗିଥିଲା। ଡିକକ୍(୧୭) ଦୀପକ ଚହରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ପଦାର୍ପଣ ମ୍ୟାଚ୍ ଖେଳିଥିବା ଅନମୋଲପ୍ରତ ସିଂହ ଭଲ ସଟ୍ ଖେଳିଥିଲେ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ସେ ୧୬ ରନ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ। ହେଲେ ୩୭ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ(୩) ଆଉଟ୍ ହେବା ମୁମ୍ଵାଇକୁ ଜୋରଦାର ଝଟକା ଲାଗିଥିଲା। ପୁଣି ଇଶାନ କିଶନ(୧୧) ୫୮ ରନ ସ୍କୋରରେ ପାଭିଲିୟନ ଫେରିଥିଲେ। ଅଧିନାୟକ କିରଣ ପୋଲାର୍ଡ(୧୫) ଦଳକୁ ନିରାଶ କରିଥିଲେ। ସୌରଭ ତିଓ୍ଵାରୀ କ୍ରିଜରେ ଜମି ରହିଥିଲେ ବି ଅନ୍ୟପଟେ ଓ୍ଵିକେଟ୍ ଖସିବା ସହ ରନ ଗତି ଧିମେଇ ଯାଇଥିଲା। ଶେଷ ଆଡକୁ ଆଡମ ମିଲନେ(୧୫) ଶେଷ ଓଭରରେ ଆଉଟ୍ ହୋଇଥିଲେ। ସୌରଭ ତିଓ୍ଵାରୀ ୬୦ ରନ କରି ଅପରାଜିତ ଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଶେଷରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିଥିଲା।

ଚେନ୍ନାଇ ପକ୍ଷରୁ ଡ୍ଵେନ ବ୍ରାଭୋ ୩ ଏବଂ ଦୀପକ ଚହର ୨ଟି ଓ୍ଵିକେଟ୍ ନେଇଛନ୍ତି। ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଥିଲା। ଚେନ୍ନାଇ ପକ୍ଷରୁ ଋତୁରାଜ ଗାୟକ୍ବାଡ ଓପନିଂ ଆସି ୮୮ ରନ କରି ଅପରାଜିତ ଥିବା ବେଳେ, ଡୁ ପ୍ଲେସି ଏବଂ ମୋଇନ୍‌ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି। ଅମ୍ବାତୀ ରାୟୁଡୁ ଖାତା ଖୋଲିବା ପୂର୍ବରୁ ଆହତ ହୋଇ ରିଟାୟର୍ଡ ହର୍ଟ ହୋଇଥିଲେ। ସୁରେଶ ରାଇନା ୪, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୩, ରବୀନ୍ଦ୍ର ଜାଡେଜା ୨୬ ରନ କରି ଆଉଟ ହୋଇଥିଲେ। ଡ୍ବେନ୍‌ ବ୍ରାଭୋ ୮ ବଲରୁ ବିସ୍ଫୋରକ ୨୩ ରନ ଇନିଂସ ଖେଳିଥିଲେ।