ଗୁଜରାଟର ଭରୁଚର ରାସାୟନିକ କାରଖାନାରେ ବିସ୍ଫୋରଣ, ୪୦ ଆହତ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶବାସୀଙ୍କୁ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଥମେ କରୋନା ଭୂତାଣୁ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ପରେ ପରେ ବାତ୍ୟା, ବନ୍ୟା, ପଙ୍ଗପାଳ ଆତଙ୍କ ଓ ଭାଇଜାଗରେ ଗ୍ୟାସ ଲିକ ହେବା ଘଟଣା ଲୋକଙ୍କ ମନବଳକୁ ଭାଙ୍ଗି ଦେଇଥିଲା । ଗୋଟିଏପଟେ ମହାରାଷ୍ଟ୍ରରେ ବାତ୍ୟା ‘ନିସର୍ଗ’ ତାଣ୍ଡବ ରଚୁଥିବା ବେଳେ ଅନ୍ୟପଟେ ଗୁଜୁରାଟର ଏକ ରାସାୟନିକ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଜଣାପଡ଼ିିଛି।

ଗୁଜରାଟର ଭରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୪୦ଜଣ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଭରୁଚ ଜିଲ୍ଲାର ଏକ ଅଧିକାରୀଙ୍କ କହିବା ମୁତାବକ, ରସାୟନିକ ନିଆଁ ବିଷାକ୍ତ ହୋଇଥିବାରୁ ଏହି ଅଞ୍ଚଳ ନିକଟସ୍ଥ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭରୁଚ ଜିଲ୍ଲାପାଳ ଏମଡି ମୋଦିଆଙ୍କ କହିବାନୁସାରେ, ଆଜି ଦ୍ୱିପ୍ରହରରେ ଏହି ଏଗ୍ରୋ କେମିକାଲ କମ୍ପାନୀର ବଏଲରରେ ବିସ୍ଫୋରଣ ହେବା ଯୋଗୁ ପାଖାପାଖି ୪୦ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଭରୁଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଫ୍ୟାକ୍ଟ୍ରିଟି କେମିକାଲ ମେଜର ୟଶସ୍ୱୀ ରସାୟନ ପ୍ରାଇଭେଟ ଲିମିଟେଡର ଯିଏକି ଇଣ୍ଡଷ୍ଟ୍ରିଆଲ ବ୍ୟବହାର ପାଇଁ ୧୫ଟି ରସାୟନ ଉତ୍ପାଦନ କରିଥାଏ।

ସୂଚନାଯୋଗ୍ୟ, ଗତ ମାସରେ ଆନ୍ଧ୍ରପ୍ରଦେଶର ବିଶାଖପଟନମ୍ ଜିଲ୍ଲାରେ ରାସାୟନିକ କାରଖାନାରୁ ଗ୍ୟାସ ବିସ୍ଫୋରଣ ଘଟି ୧୧ଜଣଙ୍କର ମୃତ୍ୟୁ ହୋଇଥିଲା।