ରଥ ପ୍ରସ୍ତୁତି: ଶୀତଳ ଷଷ୍ଠୀ ପୂର୍ବରୁ ୨୧ ଅଖରେ ସଂଯୋଗ ହେବ ୪୨ ଚକ

ପୁରୀ,ଏନ୍ଏନ୍ଏସ୍: ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଚକ ନିର୍ମାଣ କାର୍ଯ୍ୟ।

ତିନି ରଥରେ ଚାଲିଛି ନାହାକା ନିର୍ମାଣ କାର୍ଯ୍ୟ ୨୮ ମଇ ସୁଦ୍ଧା ୩୯ଟି ରଥ ଚକ ନିର୍ମାଣ କାର୍ଯ୍ୟ ସରିଛି। ତିନି ରଥର ମୋଟ ୪୨ଟି ଚକ ନିର୍ମାଣ ହେବାକୁ ଥିବାବେଳେ ପରମ୍ପରା ଅନୁଯାୟୀ ମଙ୍ଗଳବାର ଭୋଇ ସେବକମାନେ ମା’ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା କରିବା ପରେ ରଥଚକ ନିର୍ମାଣ ସରିବ। ଚକ ନିର୍ମାଣ ପାଇଁ ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି। ସେହିପରି ତିନି ରଥର ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବାବେଳେ ରୂପକାର ସେବକମାନେ ଗୁଜଗୁଡିକରେ ଖୋଦେଇ କରୁଛନ୍ତି। ଚଉତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଖମ୍ବିଗୁଡିକରେ ବିନ୍ଧ କରାଯାଉଛି। ଅସ୍ଥାୟୀ କମାରଶାଳରେ ରଥ ନିର୍ମାଣ ପାଇଁ ଓଝା ସେବକ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି। ଶୀତଳ ଷଷ୍ଠୀ ପୂର୍ବରୁ ୨୧ ଅଖରେ ୪୨ଚକ ସଂଯୋଗ କରାଯିବ। ତାହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ତିନିରଥ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦ଫୁଟିଆ ଧଉରା କାଠରେ ଚାରିନାହାକା ନିର୍ମାଣ କରାଯାଉଛି। ଦଣ୍ଡା ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ଯୋଗାଇ ଦିଆଯାଇଛି। ଓରା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଗୟଳ କାମ ଅବ୍ୟାହତ ରହିଛି। ସେହିପରି ମୁହାଣ୍ଟ, ନିରାଡି ଓ ଓରା ନିର୍ମାଣ ସରିଛି।