ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ: ପ୍ରତି ୨୦ କିମିରେ ଇଲେକ୍ଟ୍ରିକ୍ ବସ ଲାଗି ରହିବ ଚାର୍ଜିଙ୍ଗ ଷ୍ଟେସନ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ସବୁଠାରୁ ବଡ଼ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ-ୱେରେ ପ୍ରତ୍ୟେକ ୨୦ କିଲୋମିଟର ଦୂରରେ ଇଲେକ୍ଟ୍ରିକ୍ ବସ ଲାଗି ଚାର୍ଜିଙ୍ଗ ଷ୍ଟେସନ ରହିବ। ଏଥି ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ସ୍ୱିଡେନ ଭଳି ଚାର୍ଜିଙ୍ଗ ଷ୍ଟେସନ ନିର୍ମାଣ କରାଯିବ। ଏହି ଚାର୍ଜିଙ୍ଗ ଷ୍ଟେସନରେ ଗାଡ଼ି ଥରଟିଏ ଚାର୍ଜ ହେବା ମାତ୍ରେ ୨୦୦ କିଲୋମିଟର ଦୌଡ଼ିବ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଅନୁସାରେ ଜାତୀୟ ରାଜପଥର ନିର୍ମାଣ କାମ ୫୦ ପ୍ରତିଶତ ପୂରା ହୋଇଛି।

କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁସାରେ ଇଲେକ୍ଟ୍ରିକ୍ ବସ ଚଳାଇବା ଲାଗି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ରେଳବାଇ ଭଳି ଟ୍ରାକ ବିଛାଇବାର ଯୋଜନା ରହିଛି। ଏହି ଏକ୍ସପ୍ରେସର ନିର୍ମାଣ କାମ ଶେଷ ହୋଇଯିବା ପରେ ଏହାକୁ ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବା ଲାଗି ୧୨ ଘଣ୍ଟା ସମୟ ଲାଗିବ। ୧୨୫୮ କିଲୋମିଟର ଏହି ରାସ୍ତା ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେଉଛି। ବର୍ଷ ୨୦୨୩ରେ ଏହାର ନିର୍ମାଣ କାମ ଶେଷ ହେବ। ଏହା ଗ୍ରୀନ ହାଇୱେ ହେବ ଏବଂ ପ୍ରତ୍ୟେକ ବର୍ଷ ୩୨ କୋଟି ଲିଟର ଇନ୍ଧନ ସଂରକ୍ଷିତ ରଖାଯାଇପାରିବ।

ସେହିଭଳି ୮୫ କୋଟି କିଲୋମିଟର କାର୍ବନ ଡାଇ ଅକ୍ସାଇଡ ଉତ୍ସଜର୍ନ ହ୍ରାସ ପାଇବ, ଯାହାକି ୪ କୋଟି ଗଛ ଲଗାଇବା ସହ ସମାନ। ଏହି ଏକ୍ସପ୍ରେସ ୱେ ମୋଟ ୫ଟି ରାଜ୍ୟ ଦେଇ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିବ। ଏଥିରେ ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ସାମିଲ ରହିଛି। ଜୟପୁର, କିଶନଗଡ଼, ଆଜମେର, କୋଟା, ଚିତ୍ତୋରଗଡ଼, ଉଦୟପୁର, ଭୋପାଳ, ଉଜୈନ, ଇନ୍ଦୋର, ଅହମ୍ମଦାବାଦ ଓ ସୁରତର ଇକୋନୋମିକ ହବକୁ ମଧ୍ୟ ଏହା ଲାଭ ପହଞ୍ଚାଇବ।