ଚରଣଜୀତ ସିଂହ ହେବେ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ, ଆଜି‌ ନେବେ ଶପଥ

ଚଣ୍ଡୀଗଡ଼,ଏଜେନ୍ସି: ପଞ୍ଜାବରେ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଚରଣଜୀତ ସିଂହ ଚନ୍ନୀ ଆଜି ପଦ ଓ ଗୋପନୀୟତାର ସହିତ ଶପଥଗ୍ରହଣ କରିବେ। ଏହା ପୂର୍ବରୁ ସେ ଅମରିନ୍ଦର ସିଂହଙ୍କ ସରକାରରେ ପ୍ରଯୁକ୍ତିବଦ୍ୟା ଶିକ୍ଷା ଓ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ। କିନ୍ତୁ ସବୁବେଳେ ଅମରିନ୍ଦର ସିଂହଙ୍କ ବିରୋଧରେ ବିଦ୍ରୋହୀ ମୁହଁ ଥିଲେ।

କଂଗ୍ରେସର ପଞ୍ଜାବ ପ୍ରଭାରୀ ହରୀଶ ରାୱତ ସ୍ପଷ୍ଟ କରିଛନ୍ତି ଯେ, ପଞ୍ଜାବରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ହରୀଶ ରାୱତ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଅନୁସାରେ ରାଜ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର। ଏଥିପାଇଁ ଏବାବଦରେ ଦଳୀୟ ସୁପ୍ରିମୋଙ୍କ ସହିତ ଆଲୋଚନା କରି ନାମ ନିର୍ଦ୍ଧାରିତ କରାଯିବ। ସୂତ୍ର ଅନୁସାରେ ବ୍ରହ୍ମା ମହିନ୍ଦ୍ରା ଓ ସୁଖୱିନ୍ଦର ରନ୍ଧାୱା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହେବେ। ଟୁଇଟରରେ କଂଗ୍ରେସ ନେତା ଦଳିତ ମୁଖ୍ୟମନ୍ତ୍ରୀକୁ ନେଇ ହୋଇଥିବା ନିଷ୍ପତ୍ତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁ ନିଷ୍ପତ୍ତିକୁ ଐତିହାସିକ ଦର୍ଶାଇଛନ୍ତି। ସେହିପରି ରଣଦୀପ ସୁରଜେୱାଲ ଆଶାର ନୂଆ କିରଣ କହିଛନ୍ତି।