ଚନ୍ଦାହାଣ୍ଡି,ଏନ୍ଏନ୍ଏସ୍: ଚନ୍ଦାହାଣ୍ଡି ବ୍ଲକରେ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଲାଗି ରହିଛି। ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଏକ ପ୍ରେସ ବିବୃତିରେ ସାର ଯୋଗାଣ, କାଳିଆ ଟଙ୍କା, ତେଲନଦୀ ଡ୍ୟାମ ନିର୍ମାଣ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ବିଜେଡିକୁ ଟାର୍ଗେଟ କରିଥିଲେ। ବିଜେଡି ପକ୍ଷରୁ ଏହାର ଜବାବ ରଖିଛନ୍ତି ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ପାଢୀ। ସେ କହିଛନ୍ତି କେନ୍ଦ୍ର ସରକାରଙ୍କୁ ପ୍ରଚୁର ସାର ଯୋଗାଇ ଦେବାକୁ ରାଜ୍ୟ ସରକାର ଜଣାଇଥିଲେ ମଧ୍ୟ ବୈମାତୃକ ମନୋଭାବ ରଖି କେନ୍ଦ୍ର ସରକାର ସାର ଯୋଗାଇବାରେ ବିଳମ୍ବ କରିଛନ୍ତି। ମଣ୍ଡିରୁ ଧାନ ତାଙ୍କ ଦ୍ୱାରା ଉଠିଲା ବୋଲି ପୂର୍ବତନ ସାଂସଦ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ପାନାବେଡ଼ା ଚାଷୀକୁଳ ଜାଣିଛନ୍ତି। ତେଲନଦୀ ଡ୍ୟାମ ନିର୍ମାଣ ମଞ୍ଜୁରୀ ନଦେଇ ଅବହେଳା କରୁଛନ୍ତି କେନ୍ଦ୍ର ସରକାର। ଏହାସହ ଶ୍ରୀ ପାଢୀ କହିଛନ୍ତି ପୂର୍ବତନ ସାଂସଦ କ୍ଷମତାରେ ଥିବାବେଳେ ଡ୍ୟାମ ନିର୍ମାଣ କାହିଁକି କଲେ ନାହିଁ। ବର୍ତ୍ତମାନର ସାଂସଦ ଏବଂ ବିଧାୟକ ଜିଲ୍ଲା ଓ ଚନ୍ଦାହାଣ୍ଡି ଅଞ୍ଚଳରେ ଜଳସେଚନ ପାଇଁ ଉଦ୍ୟମ ଜାରି ରଖିବା ସହ ତାଙ୍କ ଚେଷ୍ଟା ବଳରେ କୁହୁଡି ପ୍ରକଳ୍ପ ମଞ୍ଜୁରୀ ହୋଇ ଟେଣ୍ଡର ହେବାକୁ ଯାଉଛି। ବଞ୍ଜାରୀ ନାଳ , ଧାରାକୋଟ, ପିପଲଜୋର, ରାଜକୋଟ ଜଳସେଚନ ପ୍ରକଳ୍ପ ଗୁଡିକ ଖୁବଶୀଘ୍ର କାର୍ଯ୍ୟକାରୀ ହେବା ନେଇ ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ବ୍ଲକ ବିଜେଡି ସଭାପତି ଗୌରହରୀ ନାୟକ, ଜୋନ୍ ୧ ସଭାପତି ଯୁବରାଜ ଜଗତ, ଜୋନ୍ ୨ ସଭାପତି ବଳରାମ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ପୁରୁଷୋତ୍ତମ ପାରି, କିଶୋର ଖମାରୀ, ଚଣ୍ଡୀମଲ ବାଘ, ମଧୁସୁଦନ ନାଗେଶ, ଝୁମୁକଲାଲ ସାହୁ, ଜିଲ୍ଲା ପଛୁଆ ବର୍ଗ ସଭାପତି କାର୍ତ୍ତିକ ବାଗ, ଯୁବ ସଭାପତି ତ୍ରିନାଥ ଦାସ, ଭୁବନେ ବେଶ୍ରା, ନୀଳମଣି ଗୌଡ଼, ଭଦେବ ବାଗ, ମିଡ଼ିଆ ସଂଯୋଜକ ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।