- ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ମନ୍ତ୍ରୀମଣ୍ଡଳକୁ ସଂପ୍ରସାରଣ କରିବାକୁ ଯାଉଛନ୍ତି। ଏନେଇ ମଙ୍ଗଳବାର ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟା ୫.୩୦ରୁ ୬ ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଚୂଡାନ୍ତ ଘୋଷଣା କରିପାରନ୍ତି। ଦ୍ୱିତୀୟ ପାଳିର ଦୁଇବର୍ଷ ପୂର୍ତ୍ତି ପରେ ଗତ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା କରିଥିଲେ। ଏବେ ମନ୍ତ୍ରୀଙ୍କ ସଂଖ୍ୟା ୫୩ ରହିଥିବାବେଳେ ଏକ ଡଜନରୁ ଅଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରାଳୟର ଦାୟିତ୍ୱ ରହିଛି। ତେଣୁ ମନ୍ତ୍ରୀଙ୍କ ଦାୟିତ୍ୱ କମ୍ କରାଯାଇପାରେ। ମନ୍ତ୍ରୀମଣ୍ଡଳରେ କେତେକ ନୂଆ ସାଂସଦଙ୍କୁ ସାମିଲ କରାଯାଇପାରେ, ଆଉ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହେବା ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଚେହେରାକୁ ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ।