କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବାଲିମେଳା ଗସ୍ତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ଗସ୍ତ କରିଛନ୍ତି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ବାଲିମେଳା ମିନି ଷ୍ଟାଡିୟଠାରେ ବାୟୁସେନାର ହେଲିକପ୍ଟର ଯୋଗେ ଅବତରଣ କରି ବାଲିମେଳାସ୍ଥିତ ପୋଟେରୁ ଜଳସେଚନ ବିଭାଗର ଡାକ ବଙ୍ଗଳାକୁ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା କରିଥିଲେ। ପରେ ବାଲିମେଳାରେ ନୂତନ କରି ନିର୍ମାଣ ହେବାକୁ ଥିବା ୧୮ କୋଟି ଟଙ୍କାର ଏକଲବ୍ୟ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାବେଳେ ଏହା ଆସନ୍ତା ୨୩/୨୪ ଶିକ୍ଷା ବର୍ଷ ମଧ୍ୟରେ ସମ୍ପୂର୍ଣ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ତେବେ ଏହି ସ୍କୁଲ ନିର୍ମାଣ ହେବା ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ବିନା ମୂଲ୍ୟରେ ଏଠାରେ ବିଦ୍ୟା ଅର୍ଜନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ମତ ଦେଇଥିଲେ।

ସେହିପରି ବାଲିମେଳାସ୍ଥିତ ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ସେଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟରେ ଲାଗୁ କରିଥିଲେ ମଧ୍ୟ ଏହା କୌଣସି କାର୍ଯ୍ୟରେ ଆସୁନଥିବାରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କଲେ ରାଜ୍ୟବାସୀ ଲାଭ ପାଇବେ ବୋଲି କହିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଓ ଉଜ୍ୱଳା ଯୋଜନା ପ୍ରଣୟନ ହେବା ଦ୍ୱାରା ବର୍ତ୍ତମାନ ଘରେ ଘରେ ପାଇଖାନା ଓ ଗ୍ୟାସ ଦ୍ୱାରା ପୂର୍ବପରି ଲୋକେ ସମସ୍ୟାର ସମ୍ମୁଖୀନ ହେଉନଥିବା କହିଥିଲେ। ଏଥିସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଓଡ଼ିଶାରେ ଲାଗୁ ନକରି କେନ୍ଦ୍ର ଦେଉଥିବା ଆର୍ôଥକ ସହାୟତାକୁ ଭିନ୍ନ ଭିନ୍ନ ଯୋଜନାର ନାମ ଦେଉଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକର ୩୦୦ ରୁ ଉର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଏହି ଗସ୍ତ ସମୟରେ ମୟୁରଭଞ୍ଜ ରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀନଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବିଜେପି ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ପଦୁ ମାଝୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହନ୍ତଙ୍କ ସମେତ ଦଳର ଅନ୍ୟ କର୍ମୀ ଉପସ୍ଥିତ ଥିଲେ।