ଜିଏସ୍‌ଟି କ୍ଷତିପୂରଣ: କେନ୍ଦ୍ର ରିଲିଜ୍‌ କଲା ୪୪ ହଜାର କୋଟି, ଓଡ଼ିଶାକୁ ୧୭୭୯ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଜନିତ କ୍ଷତିପୂରଣ ରାଶି ଆଜି କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ରିଲିଜ୍ କରିଛନ୍ତି। ମୋଟ ୪୪ ହଜାର କୋଟି ଟଙ୍କା ରିଲିଜ୍ କରାଯାଇଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପ୍ରକାଶ କରିଛି। ସୂଚନାଯୋଗ୍ୟ ଯେ ୨୮ ମେ’ରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୧.୫୯ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ରାଜସ୍ୱ ଜନିତ କ୍ଷତିପୂରଣ ରାଶି ରିଲିଜ୍ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା।

ଏହି କ୍ରମରେ ସରକାର ପୂର୍ବରୁ ଅର୍ଥାତ୍ ୧୫, ଜୁଲାଇରେ ୭୫ ହଜାର କୋଟି ଓ ୭ ଅକ୍ଟୋବରରେ ୪୦ ହଜାର କୋଟି ଟଙ୍କା ରିଲିଜ୍ କରିଥିଲେ। ଆଜି ରିଲିଜ୍ କରାଯାଇଥିବା ଅର୍ଥ ରାଶିରେ କର୍ଣ୍ଣାଟକକୁ ସର୍ବାଧିକ ୫,୦୧୧ କୋଟି, ମହାରାଷ୍ଟ୍ରକୁ ୩,୮୧୪ କୋଟି, ଗୁଜରାଟକୁ ୩,୬୦୮ କୋଟି, କେରଳକୁ ୨,୪୧୮ କୋଟି, ଓଡିଶାକୁ ୧୭୭୯ କୋଟି ଟଙ୍କା ରିଲିଜ୍ କରାଯାଇଛି। ମେଘାଳୟକୁ ସବୁଠାରୁ କମ୍ ଅର୍ଥାତ୍ ୩୯ କୋଟି ଟଙ୍କା ମିଳିଛି।