ଜେଲ୍ ଯିବାରୁ ଖୋଲୁଛି ପେଡ଼ି, କନ୍‌ଷ୍ଟେବଳଙ୍କ କୋଟି କୋଟି ସମ୍ପତ୍ତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚାକିରୀରୁ ବିଦା ହୋଇଥିବା କନ୍‌ଷ୍ଟେବଳ ପ୍ରସନ୍ନ ବେହେରାଙ୍କ ପାଇଁ ପୁଣି ଅଡୁଆ ବଢ଼ିଛି। ମନୀଷ ହତ୍ୟା ମାମଲାରେ ଛନ୍ଦି ହୋଇ ଜେଲ୍ ଯିବାର ସପ୍ତାହେ ନପୁରୁଣୁ ଭିଜିଲାନ୍ସ ତାଙ୍କୁ ସ୍କାନରକୁ ଆଣିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ପ୍ରସନ୍ନଙ୍କ କଳ୍ପନାସ୍ଥିତ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଏହିସବୁ ସ୍ଥାନରେ ଭିଜିଲାନ୍ସ ଟିମ୍ ଛାନ୍‌ଭିନ କରିବା ସହ ପ୍ରସନ୍ନଙ୍କ ସମ୍ପତ୍ତି ଯାଞ୍ଚ କରିଛନ୍ତି। ତେବେ ଚଢ଼ଉ ପରେ ପ୍ରସନ୍ନଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏହି ସମ୍ପତ୍ତି ମଧ୍ୟରୁ କେତେ ଆୟ ବର୍ହିଭୂତ ତାହା ଜଣାପଡ଼ିନାହିଁ।

ପ୍ରସନ୍ନଙ୍କର ଆହୁରି ସମ୍ପତ୍ତି ଥିବା ସନ୍ଦେହ କରି ଭିଜିଲାନ୍ସ ଯାଞ୍ଚ ଜାରି ରଖିଛି। ସୂଚନା ଅନୁଯାୟୀ ମନୀଷ ହତ୍ୟାକାଣ୍ଡ ପରେ ପାତ୍ରପଡ଼ା ‘ସାଉଥ୍ ସିଟି ବାର୍‌’ର ଗୁମର ଖୋଲିଥିଲା। ବିନା ଲାଇସେନ୍ସରେ ଏହି ବାର୍ ପ୍ରସନ୍ନ ଚଳାଉଥିଲେ। ଏଥିପାଇଁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯିବା ସହ ଗିରଫ ମଧ୍ୟ କରାଯାଇଛି। ଏହାପରେ ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଏକ ସର୍ଚ୍ଚ ୱାରେଣ୍ଟ୍ ଜାରି କରିଥିଲେ। ଏହାପରେ ଭିଜିଲାନ୍ସର ୫ ଜଣିଆ ଟିମ୍ ପ୍ରସନ୍ନଙ୍କ କଳ୍ପନା ଛକ ସ୍ଥିତ ସରକାରୀ କ୍ୱାର୍ଟର୍ସ ନଂ ଜି-୧୨, ଡୁମୁଡୁମାରେ ଥିବା ଫର୍ଣ୍ଣିଚର ଶୋ’ରୁମ୍‌, ଲିଙ୍ଗିପୁର ଶାନ୍ତିବିହାରରେ ଥିବା ଫର୍ଣ୍ଣିଚର କାରଖାନା, ପାତ୍ରପଡ଼ାର ସାଉଥ୍ ସିଟି ବାର୍‌, ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗ୍ରାମରେ ଥିବା ପୈତୃକ ବାସଭବନରେ ଚଢ଼ଉ କରିଛନ୍ତି।

ଏହିସବୁ ସ୍ଥାନରେ ଚଢ଼ଉ ପରେ ଭିଜିଲାନ୍ସ ପ୍ରସନ୍ନଙ୍କ ସମ୍ପତ୍ତିର ଏକ ତାଲିକା ପ୍ରସ୍ତୁତ କରିଛି। ଯେଉଁ ତାଲିକା ଦେଖି ଭିଜିଲାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛି। ପ୍ରସନ୍ନ ସରକାରୀ ଚାକିରୀ କରିବା ସହ ବ୍ୟବସାୟ ମଧ୍ୟ କରୁଥିଲେ। ଏନେଇ ସେ ଖଣ୍ଡଗିରି ଡୁମୁଡୁମା ଜାତୀୟ ରାଜପଥ କଡ଼ରେ ସ୍ପାର୍କ ଫର୍ଣ୍ଣିଚର ନାମକ ଏକ ଶୋ’ ରୁମ୍ ଖୋଲିଥିଲେ। ଏହି ଶୋ’ରୁମ୍‌ଟି ୧୮ହଜାର ବର୍ଗଫୁଟ୍‌ରେ ନିର୍ମାଣ ହୋଇଛି। ୨୦୧୯ ମସିହାରେ ଏହି ଜାଗାକୁ ପ୍ରସନ୍ନ ୧କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କାରେ କିଣିଥିଲେ। ପରେ ୨ କୋଟି ଖର୍ଚ୍ଚ କରି ସେଠାରେ ବିଶାଳକାୟ ଶୋ’ ରୁପ୍ ନିର୍ମାଣ କରିଛନ୍ତି। ତେବେ ଏହି ଶୋ’ରୁମ୍‌ଟି ୫ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ସେହିପରି ପ୍ରସନ୍ନଙ୍କ ନାଁରେ ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗ୍ରାମରେ ୪୫ ଲକ୍ଷର ଜମି, ତାଙ୍କ ପତ୍ନୀଙ୍କ ନାଁରେ ସୁନ୍ଦରପଦାରେ ୨୪ ଲକ୍ଷର ଫ୍ଲାଟ୍‌, ପରିବାରଲୋକଙ୍କ ନାଁରେ ଗୋଟିଏ ୧୨ ଲକ୍ଷ ୭୧ ହଜାର ଟଙ୍କାର ଟାଟା ସଫାରି କାର୍‌, ୭ଲକ୍ଷ ୮୭ହଜାର ଟଙ୍କାର ମାରୁତି ବାଲେନୋ କାର୍‌, ୧୧ଲକ୍ଷ ୪୪ହଜାର ଟଙ୍କାର ୨ଟି ଟାଟାଏସି ଗାଡ଼ି ରହିଛି। ଏହାସହ ୧ଲକ୍ଷ ୭୨ହଜାର ୨୪୭ଟଙ୍କାର ଗୋଟିଏ ବୁଲେଟ୍ ଓ ୪୪ହଜାର ୭୭୮ଟଙ୍କାର ଗୋଟିଏ ବାଇକ୍ ଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ୨୧ଟି ବ୍ୟାଙ୍କ ପାସ୍‌ବୁକ ମିଳିଥିବାବେଳେ ସେଗୁଡ଼ିକର ଯାଞ୍ଚ କରାଯାଇନାହିଁ। ତେଣୁ ପ୍ରସନ୍ନଙ୍କ ନାଁରେ ଆହୁରି ସମ୍ପତ୍ତି ଥିବାରୁ ଭିଜିଲାନ୍ସ ଯାଞ୍ଚ ଜାରି ରଖିଛି।

ଅନ୍ୟପକ୍ଷେ କଳ୍ପନା ଛକ ସ୍ଥିତ ସରକାରୀ ବାସଭବନରେ ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍ ତାଜୁବ ହୋଇଯାଇଥିଲା। ସରକାରୀ କ୍ୱାର୍ଟର୍ସ ପରିସରରେ ବେଆଇନ ଗୃହ ନିର୍ମାଣ ଦେଖି ପ୍ରସନ୍ନଙ୍କ ସାହସକୁ ଭିଜିଲାନ୍ସ ମାନିଥିଲା। ପ୍ରସନ୍ନ ସରକାରୀ କ୍ୱାର୍ଟର୍ସକୁ ଲାଗି ନୂତନ ୮ଟି ଗୃହ ନିର୍ମାଣ କରିଛନ୍ତି। ସେହି ଘରଗୁଡ଼ିକୁ ଭଡ଼ାରେ ଲଗାଇବାକୁ ଯୋଜନା କରିଥିଲେ ବୋଲି ଜଣାପଡ଼ିଛି। ଏହି ଚଢ଼ଉରେ ଭିଜିଲାନ୍ସର ୨ ଜଣ ଡିଏସ୍‌ପି, ୬ ଜଣ ଇନ୍ସିପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।