ଗଗନଯାନ ଅଭିଯାନ ପାଇଁ ତରଳ ଇନ୍ଧନ ଚାଳିତ ଇଞ୍ଜିନର ସଫଳତାର ସହ ପରିକ୍ଷଣ କଲା ଇସ୍ରୋ

ତାମିଲନାଡୁ,ଏଜେନ୍ସି: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ତରଳ ଇନ୍ଧନ ଚାଳିତ ଇଞ୍ଜିନର ତୃତୀୟ ଦୀର୍ଘ ସମୟର ହଟ୍ ଟେଷ୍ଟକୁ ସଫଳତାର ସହ ପରିଚାଳନା କରି ଏହାର ପ୍ରଥମ ମାନବ ସ୍ପେସ୍ ମିଶନ୍ ଗଗନଯାନ ଅନୁସରଣ କରିବାରେ ଆଗକୁ ବଢିଛି।

ଏହି ପରୀକ୍ଷା ଗଗନଯାନ କାର୍ଯ୍ୟକ୍ରମରେ ଇଞ୍ଜିନ ଯୋଗ୍ୟତା ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ତାମିଲନାଡୁର ମହେନ୍ଦ୍ରଗିରିର ଇସ୍ରୋ ପ୍ରପୁଲସନ୍ କମ୍ପ୍ଲେକ୍ସ (ଆଇପିଆରସି)ର ଇଞ୍ଜିନ ପରୀକ୍ଷା ସୁବିଧାରେ ୨୪୦ ସେକେଣ୍ଡ ସମୟ ପାଇଁ ଇଞ୍ଜିନକୁ ପରୀକ୍ଷା କରାଯାଇଥିଲା।

ଇଞ୍ଜିନର କାର୍ଯ୍ୟଦକ୍ଷତା ପରୀକ୍ଷଣ ଉଦ୍ଦେଶ୍ୟକୁ ପୂରଣ କଲା ଏବଂ ପରୀକ୍ଷଣର ସମଗ୍ର ଅବଧି ମଧ୍ୟରେ ଇଞ୍ଜିନ ପାରାମିଟରଗୁଡିକ ପୂର୍ବାନୁମାନ ସହିତ ଘନିଷ୍ଠ ଭାବରେ ମେଳ ଖାଉଥିଲା ବୋଲି ଇସ୍ରୋ ଅଧିକାରୀ ସୂଚନା ଦେଇଛନ୍ତି। ଇସ୍ରୋ ତୃତୀୟ ରକେଟରେ ଭାରତୀୟ ମହାକାଶଚାରୀଙ୍କୁ ପଠାଇବା ପୂର୍ବରୁ ଦୁଇଟି ମାନବ ମାନ୍ୟତା ପ୍ରାପ୍ତ ମାନବ ବିହୀନ ଜିଏସଏଲଭି-ଏମକେ ୩ ରକେଟ୍ ପରିକ୍ଷା କରିବାକୁ ଯୋଜନା କରିଛି।