ନୂଆଦିଲ୍ଲୀ: ହାଥରସର ଘଟଣାସ୍ଥଳରେ ସିବିଆଇ ଟିମ୍ ପହଂଚିଯାଇଛି। ସିବିଆଇର ମୋଟ ୧୦ଟି ଗାଡ଼ି ସହ ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚିଥିବା ଜଣାପଡ଼ିଛି। ସିବିଆଇ ଟିମ୍ ସହ ସ୍ଥାନୀୟ ପୁଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ସବିଆଇ ସ୍ଥାନୀୟ ପୁଲିସଠାରୁ ଘଟଣା ସମ୍ପର୍କରେ ପଚାରି ବୁଝୁଛି।
ସିବିଆଇର ଯେଉଁ ଟିମ୍ ଘଟଣାସ୍ଥଳରେ ପହଂଚିଛି ସେଥିରେ ମହିଳା ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ସିବିଆଇ ଘଟଣାସ୍ଥଳକୁ ଭଲଭାବେ ଯାଂଚ କରି ସାରିବା ପରେ ପୀଡ଼ିତ ପରିବାରକୁ ଭେଟିବ। ସିବିଆଇକୁ ଘଟଣା ସମ୍ବନ୍ଧରେ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ପୀଡ଼ିତାର ଭାଇ ମଧ୍ୟ ଉପସ୍ଥିତ ଅଛନ୍ତି। ପୀଡ଼ିତାର ଭାଇ ହିଁ ପୁଲିସରେ ଅଭିଯୋଗ କରିଥିଲା ଯେଉଁ ଆଧାରରେ ମାମଲା ଦାୟର ହୋଇଥିଲା। ଭାଇ ଏହି ମାମଲାର ପ୍ରତ୍ୟେକ୍ଷଦର୍ଶୀ ସାକ୍ଷ୍ୟ ମଧ୍ୟ। ଗତକାଲି ହାଇକୋର୍ଟରେ ବି ପୀଡ଼ିତାର ଭାଇ ବୟାନ ଦେଇଥିଲା।