ବିଭିନ୍ନ ବ୍ୟାଙ୍କରୁ ୭୦୦୦ କୋଟିର ଠକେଇ ଖୁଲାସା: ୩୫ ମାମଲା ରୁଜୁ, ୧୬୯ ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦିନକୁ ଦିନ ଠକେଇ ବଢ଼ିବାରେ ଲାଗିଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି) ଏବଂ ପଞ୍ଜାବ ଓ ମହାରାଷ୍ଟ୍ର ସହକାରୀ ବ୍ୟାଙ୍କ (ପିଏମସି ବ୍ୟାଙ୍କ)ରେ ବହୁକୋଟି ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ଦେଶବ୍ୟାପୀ ଶାଖାଗୁଡ଼ିକରେ ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ଏଭଳି ଅନ୍ୟ ଏକ ଠକେଇ ସମ୍ବନ୍ଧରେ ଖୁଲାସା କରାଯାଇଛି। ମାତ୍ର ଏଥିରେ କୌଣସି ଗୋଟିଏ ବ୍ୟାଙ୍କରୁ ନୁହେଁ, ବରଂ ୩୫ଟି ଭିନ୍ନ ଭିନ୍ନ ବ୍ୟାଙ୍କରୁ ମୋଟ ୭୦୦୦ କୋଟି ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଉପରୋକ୍ତ ବ୍ୟାଙ୍କଗୁଡ଼ିକ ତରଫରୁ ୩୫ଟି ଭିନ୍ନ ମାମଲା ରୁଜୁ କରାଯିବା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୧୬୯ଟି ଜାଗା ଉପରେ ଚଢ଼ଉ କରିଛି। ଏହି ଠକେଇ ହୋଇଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ଦେନା ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିସ୍ ବ୍ୟାଙ୍କ, ଆଲ୍ଲାହାବାଦ ବ୍ୟାଙ୍କ, କାନାରା ବ୍ୟାଙ୍କ, ପଞ୍ଜାବ ଏବଂ ସିଣ୍ଡ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍ ଇଣ୍ଡଆ ଆଦି ବ୍ୟାଙ୍କ ସାମିଲ ରହିଛି।

ମାମଲା ରୁଜୁ କରାଯିବା ପରେ ସିବିଆଇ ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ଏମପି, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡ଼ୁ, ତେଲେଙ୍ଗାନା, ୟୁପି, ଉତ୍ତରାଖଣ୍ଡ ଆଦି ସ୍ଥାନରେ ଚଢ଼ଉ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।