ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଅପରାଜିତାଙ୍କ ନାମରେ ଏତଲା

ପୁରୀ,ଏନ୍ଏନ୍ଏସ୍: ତେଜୁଛି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ। ପ୍ରଶାସନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସାଂସଦ ଷଡଙ୍ଗୀଙ୍କ ନାମରେ ଥାନାରେ ଏତଲା। ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି। ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଏହି ଏତଲା ଦିଆଯାଇଛି।

ଆଜି ସାଂସଦ ଅପରାଜିତା ଷଡଙ୍ଗୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଓହ୍ଲାଇ ମେଡ଼ିକାଲ ଛକରୁ ଚାଲି ଚାଲି ଶ୍ରୀମନ୍ଦିର ଆସିଥିଲେ। ଏହି ସମୟରେ ଶତାଧିକ କର୍ମୀ ତାଙ୍କ ସହ ସାମିଲ ହୋଇ ବିଭିନ୍ନ ନରାବାଜି ଦେଇଥିଲେ। ଏହା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭଙ୍ଗ କରିଥିବା ଅଭିଯୋଗ ହୋଇଛି। ତେଣୁ ପୁରୀ ପୋଲିସ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ କର୍ମକର୍ତ୍ତା ଦାବି କରିଛନ୍ତି।

ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଏକାଠି ହୋଇ ପୁରୀ ଟାଉନ ଥାନାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସେପଟେ ପଦଯାତ୍ରା ପାଇଁ ସାଂସଦ ଅପରାଜିତା ପୁରୀ ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିଲେ, କିନ୍ତୁ ଜିଲ୍ଲାପାଳ ଅନୁମତି ଦେଇନଥିବା ଚର୍ଚ୍ଚା ହେଉ ଥିବାବେଳେ ଅପରାଜିତା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ କୌଣସି ପଦଯାତ୍ରା କରିବାକୁ ଆସିନାହିଁ ବରଂ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି।