ଉପ-ବାଚସ୍ପତିଙ୍କ କାରକୁ ଆକ୍ରମଣ ଘଟଣା, ୧୦୦ କୃଷକଙ୍କ ନାଁରେ ରାଜଦ୍ରୋହ ମାମଲା

  • ନୂଆଦିଲ୍ଲୀ: ହରିଆଣା ବିଧାନସଭାର ଉପ-ବାଚସ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣାରେ ୧୦୦ ଜଣ କୃଷକଙ୍କ ନାଁରେ ରାଜଦ୍ରୋହ ମାମଲା ରୁଜୁ କରିଛି ହରିଆଣା ପୁଲିସ। ବିବାଦୀୟ କୃଷି ଆଇନକୁ ବିରୋଧ କରିବା କ୍ରମରେ ଉପ-ବାଚସ୍ପତି ରଣବୀର ଗଙ୍ଗବାଙ୍କ ଗାଡି ଉପରକୁ ୧୦୦ରୁ ଅଧିକ କୃଷକ ଆକ୍ରମଣ କରି ତାଙ୍କ ଗାଡିକୁ ଭାଙ୍ଗି ଦେଇଥିଲେ।
  • ଏଭଳି ଘଟଣା ଜୁଲାଇ ୧୧ ତାରିଖରେ ହରିଆଣାର ସୀରସାଠାରେ ଘଟିଥିଲା। ଏହି ଘଟଣାକୁ ନେଇ କୃଷକମାନଙ୍କ ଉପରେ ରାଜଦ୍ରୋହ ଦଫା ଆଧାରରେ ମାମଲା ରୁଜୁ ହୋଇଛି। ଏହା ସହ ହତ୍ୟା ଉଦ୍ୟମ ଓ ଲୋକ ସେବକଙ୍କୁ ସାର୍ବଜନିକ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ରହିଛି। ହରିଆଣା କୃଷକ ଆନ୍ଦୋଳନର ୨ ପ୍ରମୁଖ ନେତା ହରଚରଣ ସିଂ ଓ ପ୍ରହ୍ଲାଦ ସିଂଙ୍କ ନାମ ବି ଏହି ମାମଲାରେ ରହିଛି। ଏହି ଖବର ଆସିବାର କିଛି ଘଣ୍ଟା ପରେ ଏହି ଆଇନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ବି ରମନ୍ନା କହିଛନ୍ତି ଯେ, ରାଜଦ୍ରୋହ ଆଇନ ବ୍ରିଟିଶ ଶାସନ ସମୟରେ ବ୍ୟବହାର କରାଯାଉଥିଲା। ସ୍ୱାଧୀନତାର ୭୫ ବର୍ଷ ପରେ ଏହାର କ’ଣ ଆବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି।