କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଜେପି ମଣ୍ଡଳ ସଭାପତିଙ୍କ ନାମରେ ମାମଲା

ଦେବଗଡ଼,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀଙ୍କ ସୁଶାସନର ୭ ବର୍ଷ ପୂର୍ତ୍ତି ଅବସରରେ ଗତକାଲି ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ କଳାମାଟି ଗ୍ରାମର ମାଙ୍କଡ଼ିଆ ବସ୍ତିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଜେପିର ସମ୍ବଲପୁର ଲୋକସଭା ସାଂସଦ ପ୍ରତିନିଧି ତଥା ବିଜେପି ତିଳେଇବଣି ସୁଗୁଡା ମଣ୍ଡଳ ସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଦଳ ପକ୍ଷରୁ ଉକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷଙ୍କୁ ଏକାଠି କରି ଶୁଖିଲା ଖାଦ୍ୟ ଓ ମାସ୍କ ବିତରଣ କରାଯିବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସୁଶାସନର ୭ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କରେ ଆଲୋଚନା କରାଯିବା ସହ କରୋନା ସମ୍ପର୍କିତ ସଚେତନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତିଳେଇବଣି ବ୍ଲକ ଅଧ୍ୟକ୍ଷା ସୁବାସିନୀ ଦେହୁରୀ, ଜିଲ୍ଲା ପରିଷଦ ସଦସ୍ୟା ବୃନ୍ଦାବତୀ ଭୋଇ, ସରପଞ୍ଚ ମିଲି ଉଦାବର, ସମିତି ସଦସ୍ୟ ପ୍ରଦୀପ ନାୟକ, ପ୍ରେମାନଦ ସାମଲ, ଧରଣୀଧର ସାହୁ, ଯୋଗେଶ୍ୱର ଉଦାବର, ପୂର୍ବତନ ସମିତି ସଦସ୍ୟା ଲକ୍ଷ୍ମୀ ସୂରିନଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ବେଳେ ଉପରୋକ୍ତ ନେତୃବୃନ୍ଦ କୋଭିଡ ନିୟମ ଉଲ୍ଲଂଘନ କରି ଜନସାଧାରଣଙ୍କୁ ଏକତ୍ରିତ କରିବା ଏବଂ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦେଇନଥିଲେ। ଫଳରେ ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ସୃଷ୍ଟି ହେବା ଆଶଙ୍କା ଅଭିଯୋଗରେ ଆଜି ଦେବଗଡ଼ ଥାନା ପୁଲିସ ସାଂସଦ ପ୍ରତିନିଧି ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟମାନଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।