ହିମାଚଳ ପ୍ରଦେଶରେ ଜୁନ୍ ୧୪ ଯାଏଁ ବଢ଼ିଲା କରୋନା କର୍ଫ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଗାମୀ ଜୁନ ୧୪ ସକାଳ ୬ଟା ଯାଏଁ ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବ। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସୋମବାର ଠାରୁ ଶୁକ୍ରବାର ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ-ବଜାର ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ। ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଯଥା ଔଷଧ ଦୋକାନ ଖୋଲା ରହିବ। ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ।

ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। ରାଜ୍ୟ କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରାଯାଇଛି। ଏଥି ପାଇଁ ବିକଳ୍ପ ମାଧ୍ୟମରେ ମୂଲ୍ୟାଙ୍କନ ହେବ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ।