କ୍ୟାବିନେଟ ନିଷ୍ପତ୍ତି: ଏମଏସଏମଇ ଓ କୃଷକଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏମଏସଏମଇ ଓ କୃଷକଙ୍କ ପାଇଁ ଅନେକ ବଡ଼ ପଦକ୍ଷେପ ନିଆଯାଇଛି। ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନୀତିନ ଗଡ଼କାରୀ ଓ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି।

କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ଫୁଟପାଥ ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଋଣ ପ୍ରଦାନ କରାଯିବ। ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ ଉଠା ଦୋକାନୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ଉଠା ଦୋକାନୀଙ୍କୁ ଋଣ ମିଳିବ। ଉଚିତ ସମୟରେ ଋଣ ସୁଝିଲେ ଗ୍ରହୀତାଙ୍କୁ ଲାଭ ମିଳିବ। ୧୪ଟି ଫସଲର ସର୍ବନିମ୍ନ ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ମୂଲ୍ୟବୃଦ୍ଧି ଦ୍ୱାରା ଚାଷୀଙ୍କୁ ୫୦ରୁ ୮୩ ପ୍ରତିଶତ ଲାଭ ମିଳିବ। ୪ ପ୍ରତିଶତ ପର୍ଯ୍ୟନ୍ତ ସୁଧରେ ଚାଷୀଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ସୁଧ ମିଳିବ।

ପ୍ରକାଶ ଜାଭଡେକର କହିଛନ୍ତି କି, ଏମଏସଏମଇ ଭାରତୀୟ ଅର୍ଥ ବ୍ୟବସ୍ଥାର ମୁଖ୍ୟଧାର ହୋଇଥିବାରୁ ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଫଣ୍ଡ ନିବେଶ କରାଯାଇଛି। ଆଉ ସେମାନଙ୍କୁ ଋଣ ଦେବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି। ଏବେ ମଧ୍ୟମ ଓ କ୍ଷୁଦ୍ର ବ୍ୟବସାୟ ମଧ୍ୟ ସେୟାର ବଜାରରେ ସୂଚିବଦ୍ଧ ହୋଇପାରିବ। ଏମଏସଏମଇରେ ନୂଆ ଚାକିରି ମିଳିବ। ସେ ଆହୁରି କହିଛନ୍ତି କି କ୍ୟାବିନଟର ନିଷ୍ପତ୍ତି ଯୋଗୁ କୋଟିଏରୁ ଊର୍ଦ୍ଧ କୃଷକ ଲାଭ ପାଇବେ। କୃଷକ ଯେଉଁଠି ଚାହିଁବେ ତାଙ୍କ ଉତ୍ପାଦନ ସେଇଠି ହିଁ ବିକ୍ରି କରିପାରିବେ।

ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ କହିଛନ୍ତି କି, ଦେଶର ଜିଡିପିରେ ୨୯ ପ୍ରତିଶତ ଯୋଗଦାନ ଏମଏସଏମଇରୁ ହୋଇଥାଏ। ଦେଶରେ ଏବେ ୬ କୋଟି ଏମଏସଏମଇ ରହିଛି ଓ ଏଥିରୁ ୧୧ କୋଟି ଚାକିରି ମିଳିଛି। ମେନ୍ୟୁଫେକଚରିଂ ଓ ସର୍ଭିସ ସେକ୍ଟରକୁ ଗୋଟିଏ କରି ଦିଆଯାଇଛି। ୨୫ ଲକ୍ଷ ଏମଏସଏମଇର ପୁର୍ନଗଠନ ପାଇଁ ଆଶା ରଖାଯାଇଛି। ନୂଆ ଫଣ୍ଡରୁ ୨ ଲକ୍ଷ ଏମଏସଏମଇ ଆରମ୍ଭ କରାଯିବା ନେଇ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସୂଚନା ପ୍ରଦାନ କରିଛନ୍ତି। ଫଳରେ ଏବେ ଧାନ କ୍ୱିଣ୍ଟାଲ ୧୮୬୮କୁ ବୃଦ୍ଧି ପାଇଛି। ଲକଡାଉନ ଯୋଗୁ କୃଷକଙ୍କୁ ଋଣ ସୁଝିବା ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ଦିଆଯିବ ବୋଲି କହିଛନ୍ତି।