ଦେବଗଡ଼,ଏନ୍ଏନ୍ଏସ୍: ଛତିଶଗଡ଼ରୁ ଅପହୃତ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କୁ ଦେବଗଡ଼ରୁ ଉଦ୍ଧାର କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଛତିଶଗଡ଼ ପିଠୋରାରୁ ଗତକାଲି ସଂଧ୍ୟାରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଶୁଭମ ଅଗ୍ରୱାଲ ନିଜର ଏକ ଟ୍ରକକୁ ବିକ୍ରି ପାଇଁ ଚାହୁଁଥିବା ଜାଣି କେତେକ ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ଆସି ୨୦ଲକ୍ଷ ଟଙ୍କାରେ ଡିଲ କରିଥିଲେ । ଶୁଭମ ଉକ୍ତ ବ୍ୟକ୍ତିଙ୍କ ସହ ସ୍ଥାନୀୟ ନୋଟାରୀଙ୍କ ନିକଟକୁ ସତ୍ୟପାଠ ପ୍ରସ୍ତୁତ ପାଇଁ ଯିବାବେଳେ ଅଜଣା ବ୍ୟକ୍ତିମାନେ କୌଣସି ନିଶା ପଦାର୍ଥ ତାଙ୍କ ମୁହଁରେ ସ୍ପ୍ରେ କରିବାରୁ ସେ ଅଚେତ ହୋଇ ପଡ଼ିଥିଲେ । ଅନ୍ୟପଟେ ଶୁଭମ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଯୋଗାଗୋଗ ପାଇଁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ଫୋନ ବନ୍ଦ ଥିଲା ଏବଂ ଲୋକେସନ ସମ୍ବଲପୁର ଜିଲ୍ଲା ବଡ଼ରମା ଅଞ୍ଚଳରେ ଥିବା ଜାଣି ପରିବାର ଲୋକେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ । ଏନେଇ ଛତିଶଗଡ଼ ପୁଲିସ ବିଭିନ୍ନ ଥାନାକୁ ସୂଚନା ଦେବାରୁ ଦେବଗଡ଼ ଥାନା ପୁଲିସ ସଜାଗ ରହି ୪୯ ନମ୍ବର ଜାତୀୟ ରାଜପଥରେ ହାଇୱେ ପେଟ୍ରୋଲିଙ୍ଗକୁ କଡାକଡ଼ି କରି ଯାଞ୍ଚବେଳେ ଅପହୃତ ବ୍ୟବସାୟୀ ଶୁଭମ ଅପହରଣକାରୀଙ୍କ କବଳରୁ ବଡ଼ରମାରୁ କୌଶଳକ୍ରମେ ଖସି ଆସି ଏକ ମାଲବାହୀ ଟ୍ରକ ଯୋଗେ ଦେବଗଡ଼ ପଟକୁ ଆସୁଥିଲେ । ସେହି ସମୟରେ ପେଟ୍ରୋଲିଂ କରୁଥିବା ଦେବଗଡ଼ ପୁଲିସକୁ ଦେଖି ଶୁଭମ ଆତ୍ମରକ୍ଷା ପାଇଁ ପୁଲିସରେ ଶରଣ ପଶିଥିଲେ । ପୁଲିସ ତୁରନ୍ତ ବ୍ୟବସାୟୀ ଶୁଭମକୁ ନିଜ ହେପାଜତରେ ନେଇ ଥାନାକୁ ଆଣି ଅଧିକ ପଚରାଉଚୁରା କରିବା ସହ ଆଜି ସକାଳେ ତାଙ୍କ ପରିବାର ଲୋକ ଦେବଗଡ଼ ଥାନାରେ ପହଞ୍ଚିବା ପରେ ହସ୍ତାନ୍ତର କରିଛି । ପୁଲିସର ସମୟପୋଯୋଗୀ ପଦକ୍ଷେପକୁ ଶୁଭମ ପ୍ରଶଂସା କରିବା ସହ ଓଡ଼ିଶା ପୁଲିସକୁ ସାଧୁବାଦ ଜଣାଇଛନ୍ତି ।