ଲକ୍ଷ୍ନୌ,ଏଜେନ୍ସି: ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସୱେରେ ସୋମବାର ସକାଳ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରାର ଫତେହାବାଦ ଥାନା ଅନ୍ତର୍ଗତ ଏକ୍ସପ୍ରେସ ୱେରେ ଭାରସାମ୍ୟ ହରାଇ ଏକ ବସ୍ ୨୦ ଫୁଟ ତଳକୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣରୁ ଅଧିକ ଆହତ ଅଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଏଏସ୍ଏଏନ୍ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ପରିବହନ ନିଗମର ଏକ ଏସି ବସ ନିୟନ୍ତ୍ରଣ ହରାଇ ଓଲଟି ପଡିଛି। ଦୁର୍ଘଟଣାଗ୍ରସ୍ତ ବସଟି ଆଗ୍ରାରୁ ଲକ୍ଷ୍ନୌ ଯାଉଥିଲା। ଫତେହାବାଦ ଥାନା ଅନ୍ତର୍ଗତ ସିକରାରା ଗାଁ ନିକଟ ଏକ୍ସପ୍ରେସୱେରେ ଏକ ଟ୍ରକର ଟାୟାର ଫାଟି ଯିବାରୁ ରାସ୍ତାରେ ଛିଡ଼ା ହୋଇଥିଲା। କୁହୁଡ଼ି କାରଣରୁ ବସ ଚାଳକଙ୍କୁ ଦୂରରୁ ଉକ୍ତ ଟ୍ରକଟି ଦେଖାଯାଇନଥିଲା।
ଟ୍ରକର ନିକଟବର୍ତ୍ତୀ ହେବା ପରେ ବସ ଚାଳକ ଟ୍ରକଟିକୁ ଦେଖି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ବ୍ରେକ୍ ଦେଇଥିଲେ, ଯାହା ଫଳରେ ବସଟି ଅନିୟନ୍ତ୍ରିତ ହୋଇ ୨୦ ଫୁଟ ତଳେ ଥିବା ସର୍ଭିସ ରାସ୍ତାକୁ ଯାଇ ଓଲଟି ପଡ଼ିଥିଲା। ବସ ଓଲଟିବା ପରେ ସ୍ଥାନୀୟଲୋକ ଏକାଠି ହେବା ସହ ପୁଲିସକୁ ଖବର ଦେଇଥିଲେ। ପରେ ସ୍ଥାନୀୟଲୋକେ, ଉଦ୍ଧାରକାରୀ ଦଳ ଓ ପୁଲିସଙ୍କ ସହାୟତରେ ଆହତଙ୍କୁ ମେଡ଼ିକାଲ ପଠାଯାଇଥିଲା।