ମେଜ୍ ନଦୀକୁ ଓଲଟିଲା ବସ୍, ୨୫ ଜଣ ମୃତ

ବୁନ୍ଦୀ,ଏଜେନ୍ସି: ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାପଡି ଗ୍ରାମ ନିକଟରେ ଏକ ବରଯାତ୍ରୀ ବସ୍ ମେଜ୍ ନଦୀରେ ଓଲଟି ପଡ଼ିଯାଇଛି। ଲାଖେରୀ ଥାନାରେ ହୋଇଥିବା ଏହି ଦୁର୍ଘଟଣାରେ ଏଯାଏଁ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଲୋକଙ୍କୁ ଆହତ ଅବସ୍ଥାରେ ମେଜ୍ ନଦୀରୁ ରେସକ୍ୟୁ କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

କୋଟାର ଦାଦିବାଡ଼ିରୁ ଗୋଟିଏ ପରିବାର ଏକ ବିବାହ ସମାରୋହରେ ସାମିଲ ହେବାକୁ ବସ୍ ଯୋଗେ ସବାଇ ମାଧୋପୁର ଯାଉଥିଲେ। ଏହି ସମୟରେ ରାସ୍ତାରେ ବରଯାତ୍ରୀ ଗାଡିଟି ପାପଡ଼ି ଗ୍ରାମ ନିକଟବର୍ତ୍ତୀ କୋଟା-ଲାଲସୋଟ ମେଗା ହାଇୱେରେ ଭାରସାମ୍ୟ ହରାଇ ମେଜ୍ ନଦୀରେ ଲେଉଟି ପଡ଼ିଥିଲା।

ବୁନ୍ଦୀର ଜିଲ୍ଲାପାଳ ଅନ୍ତରସିଂହ ନେହରା ଏନେଇ କହିଛନ୍ତି ଯେ, ବିବାହ ସମାରୋହରେ ସାମିଲ ହେବା ପାଇଁ ଏକ ପରିବାର ମାଧୋପୁର ଯାଉଥିଲେ। ବସଟି ନଦୀରେ ଭାରସାମ୍ୟ ହରାଇ ଲେଉଟି ପଡ଼ିବା ପରେ ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୨ ରୁ ୧୩ଟି ଶବ ଉଦ୍ଧାର କରାଯାଇଛି। ବସରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।