ବସକୁ ଧକ୍କା ଦେଲା ଟ୍ରକ : ୫ ଆହତ

ସମ୍ବଲପୁର,ଏନ୍ଏନ୍ଏସ୍ : ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ କଟାପାଲି ଛକରେ ମଙ୍ଗଳବାର ଏକ ଟ୍ରକ ଓ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ବସକୁ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ବସର ଚାଳକ ଓ ହେଲପର ରହିଛନ୍ତି ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଜୟପୁରରୁ ସମ୍ବଲପୁର ଆସୁଥିବା ସମୟରେ ଟ୍ରକଟି ପଛପଟୁ ବସକୁ ଧକ୍କା ଦେଇଥିଲା । ଏହାପରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏହାପରେ ବସଟିକୁ କ୍ରେନ ସାହାଯ୍ୟରେ ଉଠାଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିଲା । ଟ୍ରକର ଚାଳକ ଫେରାର ଥିବା ଜଣାପଡ଼ିଛି । ପୁଲିସ ଘଟଣାର ତଦନ୍ତ କରୁଛି।