ଚୋର ଧରିବାକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେଲା ପୁଲିସ

ଅନୁଗୁଳ,ଏନ୍ଏନ୍ଏସ୍: ଚୋରକୁ ଧରି ଥାନାକୁ ଆଣିବା ବେଳେ ଗ୍ରାମବାସୀଙ୍କ ସହ ପୁଲିସର ବଚସା ହୋଇଥିଲା। ଫଳରେ ପୁଲିସକୁ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଅନୁଗୁଳ ବଅଁରପାଳ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ସମୟରେ ସାଧା ପୋଷାକରେ ଥିବା ପୁଲିସ ଟିମ ଉପରକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଆକ୍ରମଣ କରିଥିଲେ।

ସୂଚନା ଅନୁସାରେ ସଞ୍ଜୟପଡ଼ା ଦେଇଯାଇଥିବା ତେଲ ପାଇପ ଲାଇନରୁ ୪ ଜଣ ତେଲ ଚୋରି କରୁଥିବା ଅଭିଯୋଗ ପାଇବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା। ସେହିପରି ଅନ୍ୟଜଣେ ଅଭିଯୁକ୍ତକୁ ଗାଁକୁ ଯାଇ ଗିରଫ କରି ଆଣୁଥିବାବେଳେ ପୁଲିସକୁ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ପୁଲିସ ନେଇ ଆସୁଥିବା ଅଭିଯୁକ୍ତକୁ ପିଲାଚୋର ଭାବି ସ୍ଥାନୀୟ ଲୋକେ ତାକୁ କାବୁ କରି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏଥିସହ ଉତ୍ତ୍ୟକ୍ତ ଲୋକେ ସାଧା ପୋଷାକରେ ଥିବା ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିବା ସହିତ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ପରେ ପୁଲିସର ଆଉ ଏକ ଦଳ ସେଠାକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।