ନିର୍ମାଣାଧୀନ କୋଠା ଭୁଶୁଡ଼ିଲା, ୮ ମୃତ

ଜୟପୁର,ଏଜେନ୍ସି: ରାଜସ୍ଥାନ ଯୋଦ୍ଧପୁରରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯୋଦ୍ଧପୁର ବସ୍ନି ଶିଳ୍ପାଞ୍ଚଳରେ ଏକ ନିର୍ମାଣାଧୀନ ବିଲ୍ଡିଂର କାନ୍ଥ ଭୁଶୁଡ଼ି ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କିଭଳି ସ୍ଥିତିରେ କାନ୍ଥ ଭୁଶୁଡ଼ିଲା ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଆହୁରି ୧୦ରୁ ଊର୍ଦ୍ଧ୍ୱ ଲୋକ ଚାପି ହୋଇ ରହିଯାଇଥିବା ଅନୁମାନ କରାଯାଉଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ପରିବାରକୁ ୪୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛି ପ୍ରଶାସନ।