ହଠାତ୍ ଭୁଶୁଡ଼ିଲା ୩ ମହଲା କୋଠା, ୬ ଜଣ ଫଶିଥିବା ଆଶଙ୍କା

  • ଗୁରୁଗ୍ରାମ: ଶୁନଶାନ ପରିବେଶ ଭିତରେ ପ୍ରଚଣ୍ଡ ଶବ୍ଦ କରି ହଠାତ୍ ଭୁଶୁଡ଼ି ପଡ଼ିଲା ତିନି ମହଲା କୋଠା। ଚାହୁଁଚାହୁଁ ସମଗ୍ର ଅଞ୍ଚଳ ଧୂଳିଧୂଆଁମୟ ହୋଇଗଲା। ଲୋକେ ଭୟରେ ଏଣେ ତେଣେ ଦୌଡ଼ିିବାକୁ ଲାଗିଲେ। ହରିୟାଣା ଗ୍ରାମର ପଟୌଦି ରୋଡସ୍ଥିତ ଖ୍ୱାସପୁର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅପରାହ୍ନ ସାଢେ ୪ଟାରେ ଏକ ୩ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। କୋଠା ଭୁଶୁ଼ଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।
    ଖବରପାଇ ପୁଲିସ ଘଟଣାସ୍ଥଳର ପହଞ୍ଚିବା ସହିତ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା। ପରେ ଦମକଳବାହିନୀ, ସିଭିଲ ଡିଫେସନ୍ସ ଓ ଏନ୍ଡିଆରଏଫ ଟିମ୍ ପହଞ୍ଚି ପାଖାପାଖି ୫ ଘଣ୍ଟା ଉଦ୍ଧାର କାର୍ଯ୍ୟ ଜାରି ରଖିବା ପରେ ରାତି ସାଢ଼େ ୯ରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାଁ ପ୍ରଦୀପ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
    ଘଟଣା ସମ୍ପର୍କରେ ସୂଚନା ଦେଇ ଡିସିପି ମାନେସର ବରୁଣ ସିଂଗଲ କହିଛନ୍ତି, ଭୁଶୁଡ଼ି ପଡ଼ିଥିବା କୋଠା ତଳେ ୪-୬ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଜଣଙ୍କୁ ସକୁଶଳଭାବେ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି। ଖବରପାଇ ପଟୌଦି ବିଧାୟକ ସତ୍ୟପ୍ରକାଶ ଜରୱାତ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।