ବଜେଟ-୨୦୨୧ ଅପଡେଟ୍

ନୂଆଦିଲ୍ଲୀ, ଏଜେନ୍ସି: ସୋମବାର ସଂସଦରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି। ‘ବହି-ଖାତା’ ବଦଳରେ ଏଥର ଟ୍ୟାବରେ ଉପସ୍ଥାପିତ ହୋଇଛି ବଜେଟ୍। ପ୍ରଥମ ଥର ପାଇଁ ସାଧାରଣ ବଜେଟ୍ ପେପରଲେସ ଭାବେ ଉପସ୍ଥାପିତ ହୋଇଛି। ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଜେଟକୁ ମଞ୍ଜୁରୀ ମିଳିବାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହାକୁ ଉପସ୍ଥାପନ କରିଥିଲେ। ତୃତୀୟଥର ପାଇଁ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। କରୋନା ମହାମାରୀ ପରେ ଏହା ପ୍ରଥମ ସାଧାରଣ ବଜେଟ୍। ଏହି ଅବସରରେ ଅର୍ଥମନ୍ତ୍ରୀ କହିଥିଲେ ଯେ ସମୟୋଚିତ ଲକଡାଉନ୍ ନିଷ୍ପତ୍ତି ଯୋଗୁ ଦେଶକୁ ଲାଭମିଳିଛି। କରୋନା ଯୋଗୁଁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି। କରୋନା କାଳରେ ଡ୍ୟୁଟି କରିଥିବା ଲୋକଙ୍କୁ ସୀତାରମଣ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ଅବସରରେ ସୀତାରମଣ ଭାରତୀୟ କ୍ରିକେଟ୍ ଦଳର ବିଜୟକୁ ବି ପ୍ରଶଂସା କରିଥିଲେ। ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁୁ ଲାଭ ଦେଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନେକଙ୍କୁ ରାହା ଦେଇଛି। ଆଜି ଭାରତରେ ୨ଟି କରୋନା ଭ୍ୟାକସିନ ଉତ୍ପାଦନ ହେଉଛି। ଆଉ ୨ଟି ଭ୍ୟାକସିନ ମଧ୍ୟ ଖୁବଶୀଘ୍ର ଆସିବାର ଅଛି। ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର। ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ ଓ ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ ବୋଲି ସୀତାରମଣ କହିଛନ୍ତି।

୧ -ବଜେଟରେ ଉଜ୍ଜ୍ୱଳା ଯୋଜନା ସମ୍ପ୍ରସାରଣ ପାଇଁ ସୀତାରମଣ ଘୋଷଣା କରି କହିଛନ୍ତି ଯେ ଏବେ ୮କୋଟି ପରିବାର ଏହି ଯୋଜନାର ଲାଭ ପାଉଥିବାବେଳେ ଏହାକୁ ଆଉ ୧ କୋଟି ବୃଦ୍ଧି କରାଯିବ। ଜାମ୍ମୁ-କାଶ୍ମୀରରେ ଗ୍ୟାସ୍ ପାଇପଲାଇନ୍ ବିଛାଇବାକୁ ବି ଘୋଷଣା କରାଯାଇଛି। ଆଗାମୀ ୩ ବର୍ଷରେ ଆଉ ୧୦୦ଟି ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ କରାଯିବ।

୨- ସ୍ୱାସ୍ଥ୍ୟ ସେବା ପାଇଁ ବି ବଜେଟ୍ରେ ବ୍ୟାପକ ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ। ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାରେ ୬୪,୧୮୦ କୋଟିର ବ୍ୟୟ ବରାଦ କରାଯାଇଛି। ୬ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ନେସ୍ନାଲ ହେଲଥ ମିଶନ ବାଦ୍ ଏହି ଅର୍ଥ ଖର୍ଚ୍ଚ କରାଯିବ। ‘ଡବ୍ଳ୍ୟୁଏଚ୍ଓ’ର ଦକ୍ଷିଣ ଏସୀୟ ଶାଖା ସ୍ଥାପନ ପାଇଁ ବ୍ୟବସ୍ଥା ହେବ। ପ୍ରତି ଜିଲ୍ଲାରେ ସମନ୍ୱିତ ପରୀକ୍ଷାଗାର ସ୍ଥାପନ ହେବ। ଦେଶରେ ୧୫ଟି ହେଲଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ। ପୋଷଣ ପାଇଁ ୨.୦ର ଶୁଭାରମ୍ଭ। ଆକାକ୍ଷିଂତ ୧୧୨ ଜିଲ୍ଲାରେ ପୁଷ୍ଟି ଯୋଜନାକୁ ପ୍ରାଥମିକତା।

୩- ସହରାଞ୍ଚଳ ପାଇଁ ଜଳ ଜୀବନ ମିଶନ ଆରମ୍ଭ ହେବ। ଏହାର ଉଦ୍ଦେଶ୍ୟ ହେଉଛି ୪୩୭୮ ସହରରେ ୨.୮୬ କୋଟି ପାଇପ ପାନୀୟଜଳ ବ୍ୟବସ୍ଥା। ଅମୃତ ଯୋଜନାରେ ଥିବା ୫୦୦ ସହରରେ ଜଳ ସଂଶାଧନ କାର୍ଯ୍ୟକ୍ରମ। ଏଥିପାଇଁ ଆଗାମୀ ୫ ବର୍ଷରେ ୨.୮୭ ଲକ୍ଷ କୋଟି ଖର୍ଚ୍ଚ ହେବ।

୪- ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରାଯିବ। ଘରୋଇ ଗାଡ଼ି ପାଇଁ ୨୦ ବର୍ଷ ଓ କମର୍ସିଆଲ ପାଇଁ ୧୫ବର୍ଷ ଧାର୍ଯ୍ୟ କରାଯାଇଛି।
୫- ଆଗାମୀ ୩ ବର୍ଷରେ ଆଉ ୭ଟି ମେଗା ଟେକ୍ସଟାଇଲ ପାର୍କ ବିକଶିତ ହେବ। ମାଲପରିବହନ ସୁଗମ ପାଇଁ ରେଲୱେରେ ସ୍ୱତନ୍ତ୍ର ଫ୍ରେଟ କରିଡର ନିର୍ମାଣ କରାଯିବ।
୫-ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ମିଳିବ। ୨୦୨୨ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି ଏନଏଚ୍ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି ଏନଏଚ୍ ହେବ।
୬-ଭାରତୀୟ ରେଳବାଇର ବିକାଶ ପାଇଁ ଏକ ରାଷ୍ଟ୍ରୀୟ ରେଳ ଯୋଜନା-୨୦୩୦ ପ୍ରସ୍ତୁତି କରାଯାଇଛି। ରେଳବାଇପାଇଁ ବଜେଟ୍ରେ ୧,୧୦,୦୫୫ କୋଟି ବ୍ୟୟ ବରାଦ କରାଯାଇଛି। ଜୁନ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରିଏଟ୍ କରିଡର ସମ୍ପୂର୍ଣ୍ଣ କରାଯିବ। ଆଉ ୩ଟି ରେଳ ଫ୍ରଟ୍ କରିଡର ପାଇଁ ଘୋଷଣା କରାଯାଇଛି। ହାୱଡ଼ାରୁ ବିଜୟୱାଡ଼ା ଇଷ୍ଟକୋଷ୍ଟ କରିଡର ହେବ। ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ୍ କରିଡର ପାଇଁ ଘୋଷଣା କରାଯାଇଛି। ରେଳ ଲାଇନ ବିଦ୍ୟୁତୀକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ ରଖାଯାଇଛି। ୨୭ଟି ସହରରେ ଆଉ ୧୦୬୦ କିମି ମେଟ୍ରୋ ଲାଇନ୍ ନିର୍ମାଣ କରାଯିବ। ବେଙ୍ଗାଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସମ୍ପ୍ରସାରଣ କରାଯିବ।
୭-ହାଇଡ୍ରୋଜେନ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା କରାଯାଇଛି। ଶକ୍ତିକ୍ଷେତ୍ରରେ ସଂସ୍କାର ଆଣିବାକୁ ବଡ଼ ଘୋଷଣା କରାଯାଇଛି। କାହାଠାରୁ ବିଦ୍ୟୁତ୍ ଆଣିବେ ତାହା ଏବେ ଉପଭୋକ୍ତା ସ୍ଥିର କରିପାରିବେ।
୮-ବୀମାକ୍ଷେତ୍ରରେ ୭୪% ଏଫଡିଆଇ ମଞ୍ଜୁରି ପାଇଁ ଘୋଷଣା କରାଯାଇଛି। ଏଫଡିଆଇ ୪୯%ରୁ ୭୪%କୁ ବୃଦ୍ଧିପାଇଁ ଘୋଷଣା କରାଯାଇଛି। ଏଲ୍ଆଇସିରେ ପୁଞ୍ଜିନିବେଶ ପାଇଁ ଆଇଓପି ଆସିବ। ୨ଟି ପବ୍ଲିକ ସେକ୍ଟର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ବ୍ୟାଙ୍କ୍ରେ ଟଙ୍କା ସୁରକ୍ଷିତ ରହିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରାଯିବ। ଛୋଟ କମ୍ପାନୀଙ୍କ ପାଇଁ ପେଡ ଅଫ୍ କ୍ୟାପିଟାଲ ସୀମାକୁ ବୃଦ୍ଧି କରାଯାଇଛି। ବିନିବେଶ ପାଇଁ ଆଇନର ସଂଶୋଧନ ହେବ। ଏମଏସଏମଇ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି।
୯-ଦେଶରେ ଆଉ ୧୦୦ଟି ନୂଆ ସୈନିକ ସ୍କୁଲ ସ୍ଥାପନ ପାଇଁ ଘୋଷଣା କରାଯାଇଛି। ପବ୍ଲିକ୍-ପ୍ରାଇଭେଟ୍ ପାର୍ଟରସିପ୍(ପିପିପି)ରେ ନୂଆ ସୈନିକ ସ୍କୁଲ ନିର୍ମାଣ କରାଯିବ। ୧୫ ହଜାର ସରକାରୀ ସ୍କୁଲ୍ର ଉନ୍ନତୀକରଣ କରାଯିବ। ଉଚ୍ଚଶିକ୍ଷା କମିଶନ ବି ଗଠନ କରାଯିବ। ଆଦିବାସୀ ଅଞ୍ଚଳରେ ୭୫୦ ଏକଲବ୍ୟ ମଡେଲ୍ ସ୍କୁଲ ନିର୍ମାଣ ହେବ। ରାଷ୍ଟ୍ରୀୟ ଅନୁବାଦ ମିଶନ ଆରମ୍ଭ ହେବ। ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ। ଲେହରେ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାୟ ସ୍ଥାପନ ପାଇଁ ବି ଘୋଷଣା କରାଯାଇଛି।
୧୦-ବଜେଟ୍ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା। ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧,୪୧,୯୩୦ କୋଟି ମିଳିଛି। ଚଳିତ ବର୍ଷ ଏହି ପରିମାଣ ୧,୭୨,୭୫୨ କୋଟି ହେବା ନେଇ ଆକଳନ କରାଯାଇଛି। କୃଷି ଋଣ ପରିମାଣ ୧୬.୫ ଲକ୍ଷ କୋଟି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ସାମିତ୍ୱ ଯୋଜନାରେ ୧.୮୦ ଲକ୍ଷଙ୍କୁ ଜମିପଟ୍ଟା ମିଳିଛି। ଚଳିତ ବର୍ଷ ଏହା ସବୁ ରାଜ୍ୟକୁ ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି। ୫ଟି ମେଗା ଫିସେରୀ ହାର୍ବର ପାଇଁ ଘୋଷାଣା କରାଯାଇଛି। ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ରହିଛି।
୧୧-ଅନ୍ୟପକ୍ଷରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟପାଇଁ ବି ବଜେଟରେ ପ୍ୟାକେଜ ଘୋଷଣା କରାଯାଇଛି। ସମ୍ପୃକ୍ତ ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ। ପଶ୍ଚିମବଙ୍ଗରେ ୨୫ ହଜାର କୋଟି ବ୍ୟୟରେ ୬୭୫ କି.ମି ରାଜପଥ ନିର୍ମାଣ କରାଯିବ। କେରଳ ପାଇଁ ୬୫ ହଜାର କୋଟି ଓ ଆସାମ ପାଇଁ ୩୪୦୦କୋଟିର ପ୍ୟାକେଜ ଘୋଷଣା କରାଯାଇଛି। କନ୍ୟାକୁମାରୀ କରିଡର ପାଇଁ ୬୫ ହଜାର କୋଟି ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ ଓ ଆସାମରେ ଚା’ ଶ୍ରମିକଙ୍କ ପାଇଁ ୧ ହଜାର କୋଟି ଘୋଷଣା କରାଯାଇଛି।
୧୨- ବରିଷ୍ଠ ନାଗରିକଙ୍କୁ ଆୟକର କ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ୭୫ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବନାହିଁ। କେବଳ ପେନସନରେ ବଞ୍ଚୁଥିବା ବରିଷ୍ଠ ନାଗରିକଙ୍କୁ ଆଉ ଆୟକର ଦେବାକୁ ପଡ଼ିବନାହିଁ। ନେସ୍ନାଲ ଫେସଲେସ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଛି। ଟ୍ୟାକ୍ସ ଅଡିଟ ଲିମିଟକୁ ବୃଦ୍ଧି କରାଯାଇଛି। ଅଡିଟ୍ ଛାଡ଼ କାରବାର ପରିମାଣ ୫କୋଟିରୁ ୧୦କୋଟିକୁ ବୃଦ୍ଧି କରାଯାଇଛି। ଏଣିକି ୧୦ କୋଟି କାରବାର ଥିବା କମ୍ପାନୀ ପାଇଁ ଅଡିଟ୍ ଅନାବଶ୍ୟକ। ଅନ୍ୟପକ୍ଷରେ ଆୟକର ଛାଡ଼ ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
୧୩- କ’ଣ ଶସ୍ତା, କ’ଣ ମହଙ୍ଗା: ମଦ, ମୋବାଇଲ୍, ବିଦେଶୀ ଖାଇବା ତେଲ, ଚାର୍ଜର, ଅଟୋ ପାର୍ଟସ, ବିଦେଶୀ କପଡ଼ା ମହଙ୍ଗା ହୋଇଥିବାବେଳେ ସୋଲାର ଲ୍ୟାମ୍ପ, ରୁପା, ସୁନା, ସ୍ପେଶାଲ ଲେଦର, ଲୁହା, ଷ୍ଟିଲ ଓ ତମ୍ବା ଶସ୍ତା ହୋଇଛି। ସିଲ୍କ ଉପରେ ଆମଦାନୀ ଶୁଳ୍କ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଥିବାବେଳେ ସୋଲାର ଲ୍ୟାମ୍ପ ଉପରେ ୫ ପ୍ରତିଶତ ହ୍ରାସ କରାଯାଇଛି।
୧୪- ସାଧାରଣ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼ ହୋଇଛି। ପେଟ୍ରୋଲ ଓ ଡିଜେଲ ଉପରେ ସରକାର କୃଷି ସେସ୍ ଲଗାଇଛନ୍ତି। ୧ଲିଟର ପେଟ୍ରୋଲ ଉପରେ ଅଢ଼େଇ ଟଙ୍କା କୃଷି ସେସ୍ ଲାଗୁ କରାଯାଇଛି। ସେହିପରି ଡିଜେଲ୍ ଲିଟର ଉପରେ ୪ ଟଙ୍କାର କୃଷି ସେସ୍ ଲଗାଯାଇଛି। ଫଳରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବ।
୧୫-କରୋନା ଭ୍ୟାକସିନ୍ ଉତ୍ପାଦନ ପାଇଁ ୩୫ ହଜାର କୋଟି ବ୍ୟୟବରାଦ କରାଯାଇଛି।
୧୬- ବାୟୁ ପ୍ରଦୂଷଣ ରୋକିବାକୁ ୪୨ ସହର ପାଇଁ କେନ୍ଦ୍ର ସରକାର ୨୨୧୭କୋଟି ଖର୍ଚ୍ଚ କରିବେ।
୧୭- ବିଶ୍ୱସ୍ତରରେ ଭାରତରେ ବିନିର୍ମାଣକୁ ଚମ୍ପିଆନ କରିବା ଲକ୍ଷ୍ୟରେ ୧୩ସେକ୍ଟର ପାଇଁ ପିଏଲଆଇ ଯୋଜନା ଘୋଷଣା କରାଯାଇଛି। ଏଥିପାଇଁ ସରକାର ଆସନ୍ତା ୫ ବଷଁ ମଧ୍ୟରେ ୧.୯୭ ଲକ୍ଷ କୋଟି ଖର୍ଚ୍ଚ କରିବେ।
୧୮- ବର୍ଷ ଶେଷ ସୁଦ୍ଧା ୪.୩୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
୧୯-ମାର୍ଚ୍ଚ ୨୦୨୨ ପୂର୍ବରୁ ଦୋ ୮୫୦୦ କିମି ରାସ୍ତା କାର୍ଯ୍ୟ ଶେଷ ହେବ। ଜାତୀୟ ରାଜପଥଗୁଡ଼ିକର ଉନ୍ନତିକରଣ ନିମନ୍ତେ ଅଧିକ ଆର୍ଥିକ ପ୍ରୋତ୍ସାହନ ଦିଆଯିବ।