ବଢ଼ିବ ନାହିଁ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ, ଏଜେନ୍ସି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଐତିହାସିକ ବଜେଟ ଘୋଷଣା କରିଛନ୍ତି। ତେବେ ଏହି ବଜେଟରେ ସମସ୍ତଙ୍କ ନଜର ରହିଥିଲା ପେଟ୍ରେଲା ଓ ଡିଜେଲ ଦର ଉପରେ ।  ପେଟ୍ରୋଲ ଓ ଡିଜେଲ୍ ଦର ଉପରେ କୃଷି ସେସ୍ ଲାଗୁ ପ୍ରସଙ୍ଗରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବର୍ତ୍ତମାନ ପେଟ୍ରୋଲ୍ ଓ ଡିଜେଲ୍ ଉପରେ କୃଷି ସେସ୍ ବଢ଼ିଥିଲେ ମଧ୍ୟ ଏହା ସାଧାରଣ ଉପଭୋକ୍ତାଙ୍କ ଉପରେ ଲାଗୁ ହେବ ନାହିଁ। ଏହି ବର୍ଦ୍ଧିତ ସେସ୍ କମ୍ପାନୀ ବହନ କରିବେ। କୃଷି ସେସ୍ ଲାଗୁ ସହ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ଅର୍ଥ ମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍ ଲଗାଇଥିବା ଜଣାପଡ଼ିଥିଲା। ପେଟ୍ରୋଲ ଉପରେ ଅଢେଇ ଟଙ୍କାର କୃଷି ସେସ ଲଗାଯାଇଛି। ସେହିଭଳି ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗୁ ହୋଇଛି ବୋଲି ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ। ତେବେ କୃଷିସେସ୍ ଲଗାଇବା ପରେ ଉତ୍ପାଦନ ଶୁଳ୍କକୁ କମାଇଛନ୍ତି ସରକାର। ତେଣୁ ଉପଭୋକ୍ତାଙ୍କ ଉପରେ ଏହାର ତତ୍କାଳ ପ୍ରଭାବ ପଡିବ ନାହିଁ । ବର୍ତ୍ତମାନ ପାଇଁ କୌଣସି ବୋଝ ପଡିବନାହିଁ ବୋଲି ଜଣାପଡ଼ିଛି।