ସଂସଦରେ ବଜେଟ୍-୨୦୨୦ ଉପସ୍ଥାପନ କଲେ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,ଏଜେନ୍ସି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦– ୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି। ଏଥିରେ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ର ପାଇଁ ୬୯ ହଜାର କୋଟିର ବଜେଟ ଉପସ୍ଥାପନ ହୋଇଛି। ଏଥିରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିକାଲ କଲେଜ ହେବ ବୋଲି ସୀତାରମଣ ବଜେଟରେ କହିଛନ୍ତି। ସେହିପରି ଉକ୍ତ ୨୦ହଜାର ହସ୍ପିଟାଲ ଗୁଡ଼ିକୁ ଆୟୁଷ୍ମାନ ଭାରତରେ ସଂଯୋଗ କରାଯିବ। ଆୟୁଷ୍ମାନ ଯୋଜନାରେ ଯୋଡି ହେବ ଦେଶର ସମସ୍ତ ହସ୍ପିଟାଲ, ଫଳରେ ଟି୨ ଏବଂ ଟି୩ ସହର ଗୁଡ଼ିକରେ ସୁବିଧା ପହଞ୍ଚି ପାରିବ। ଏଥିପାଇଁ ପିପିପି ମଡେଲର ସାହାଯ୍ୟ ନିଆଯିବ ବୋଲି କହିଛନ୍ତି।

ସେହିପରି ଯେଉଁଥିରେ ୨ଟି ପର୍ଯ୍ୟାୟରେହସ୍ପିଟାଲଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯିବ ।ଏବେ ସୁଦ୍ଧା ଦେଶର ୨୦ ହଜାର ହସ୍ପିଟାଲ ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଛନ୍ତି । ଭାରତରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ବଜେଟରେ ବଡ଼ ଘୋଷଣା କରାଯାଇଛି। ଟିବି ମୁକ୍ତ ଦେଶ ହେବ ପାଇଁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ୨୦୨୫ ସୁଦ୍ଧା ଲକ୍ଷ୍ୟ ପୂରଣ ହେବ। ୨୦୨୪ ମଧ୍ୟରେ ସମସ୍ତ ଜିଲ୍ଲାରେ ଜନୌଷଧି କେନ୍ଦ୍ରର ପ୍ରସାରଣ ହେବ। ସେହିପରି ସ୍ୱଚ୍ଛ ଭାରତ ମିଶନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୨ ହଜାର ୩ଶହ କୋଟି ଟଙ୍କାର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଭାରତ ବାହ୍ୟ ମଳ ତ୍ୟାଗ ମୁକ୍ତ ଦେଶ ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସୀତାରମଣ କହିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କ ଇନ୍ଦ୍ରଧନୁଷ ମିଶନ୍‍କୁ ବିସ୍ତାର କରାଯିବ।