ଭାରତରେ ବୌଦ୍ଧ ସାହିତ୍ୟର ପାଠାଗାର ପ୍ରତିଷ୍ଠା ହେବ: ମୋଦୀ

ନୂଆଦିଲ୍ଲୀ, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଷଷ୍ଠ ଭାରତ-ଜାପାନ ସମ୍ବାଦ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଐତିହାସିକ ଦୃଷ୍ଟିରୁ ବୁଦ୍ଧଦେବଙ୍କ ବାଣୀ ଭାରତରୁ ବିଶ୍ୱର ବିଭିନ୍ନ ଭାଗକୁ ପ୍ରଚାର ଓ ପ୍ରସାର ହୋଇଥିଲା। ଏଣୁ ଭାରତରେ ରହିଥିବା ବୌଦ୍ଧସାହିତ୍ୟ ଓ ଧର୍ମଗ୍ରନ୍ଥର ଏକ ପାଠାଗାର ପ୍ରତିଷ୍ଠା କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ବୌଦ୍ଧସାହିତ୍ୟ ଓ ଦର୍ଶନ ଭଳି ଅମୂଲ୍ୟ ସମ୍ପଦ ଆଜି ବି ବିଭିନ୍ନ ବୌଦ୍ଧପୀଠରେ ଓ ମଠରେ ସାଇତା ହୋଇରହିଛି। ବିଭିନ୍ନ ଦେଶରେ ଓ ବିଭିନ୍ନ ଭାଷାରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ଏହା ସମଗ୍ର ମାନବଜାତି ପାଇଁ ଏକ ଅମୂଲ୍ୟ ସମ୍ପଦ। ପାଠାଗାର ପାଇଁ ବିଭିନ୍ନ ଦେଶର ବୌଦ୍ଧସାହିତ୍ୟ କୃତିର ଡିଜିଟାଲ କପି ସଂଗ୍ରହ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ, ବିଶ୍ୱରେ ବିକାଶ ନେଇ ଆଲୋଚନା କେତେକ ହାତଗଣତି ଦେଶ ମଧ୍ୟରେ ସୀମିତ ରହିଛି। ଏହି ଆଲୋଚନାର ପରିସର ବ୍ୟାପକ ହେବା ଆବଶ୍ୟକ।