୧୦୦ଟଙ୍କାରେ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଖସିଥିବା ବେଳେ ଶ୍ରଦ୍ଧାଳୁଙ୍କ ଲାଗି ଜାନୁଆରୀ ୩ରୁ ଖୋଲିବ ବିଭିନ୍ନ ଧର୍ମାନୁଷ୍ଠାନ । ଅଧିକାଂଶ ଧର୍ମାନୁଷ୍ଠାନ ବାହାର ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବା ପରେ ହିଁ ମନ୍ଦିର ପ୍ରବେଶ ଲାଗି ଅନୁମତି ମିଳିବ ବୋଲି ଘୋଷଣା କରିଛନ୍ତି । ଏସବୁକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ୍ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ମୂଲ୍ୟ କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ସବୁ ବର୍ଗର ଲୋକଙ୍କ ସୁରକ୍ଷା ଏବଂ ସ୍ଥିତିକୁ ଅନୁଧ୍ୟାନ କରି ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ମୁଲ୍ୟକୁ ୧୦୦ଟଙ୍କାକୁ ହ୍ରାସ କରିଥିବା ବେଳେ ସଚିବ ଶ୍ରୀ ମହାପାତ୍ରଙ୍କ ଏହି ପଦକ୍ଷେପକୁ ସବୁ ସ୍ତରରେ ମଧ୍ୟ ସ୍ୱାଗତ କରାଯାଇଛି।
ପ୍ରକାଶଥାଉ କି, ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ପୃକ୍ତ ବିଜ୍ଞପ୍ତିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦର୍ଶାଇଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୦ ଜୁଲାଇ ୧୪ରେ ଜାରି ହୋଇଥିବା ନିର୍ଦ୍ଦେଶନାମକୁ ପ୍ରାଥାମିକତା ଦେଇ କୋଭିଡ୍ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି କରାଯାଇଛି। ଏଣିକି ଘରୋଇ ଲ୍ୟାବରେ କୋଭିଡ୍ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଲାଗି ଜିଏସଟି ସହ ସର୍ବାଧିକ ୧୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।