ଦେବଗଡ଼ରେ ବିଏସକେୱାଇର ଶୁଭାରମ୍ଭ ଓ ୭୦୭ କୋଟିର ୫୮ଟି ପ୍ରକଳ୍ପ ଉଦଘାଟିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଗୃହ ଓ ଶକ୍ତି ବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ ଓ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ କୋଠାବାଡ଼ି ନିମନ୍ତେ ୭୦୭ କୋଟି ଟଙ୍କାର ୫୮ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭,୮୬୧୫ କାର୍ଡ ଦେବଗଡ଼ ଜିଲ୍ଲାର ୩ଟି ବ୍ଲକର ୭୦ଟି ପଞ୍ଚାୟତରେ ବଣ୍ଟନ କରାଯିବ। ଏହି କାର୍ଡ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକର ୨୪ଟି ପଞ୍ଚାୟତରେ ୨୮,୦୬୯, ରିଆମାଳ ବ୍ଲକର ୨୬ଟି ପଞ୍ଚାୟତରେ ୨୭,୧୭୫ ଓ ତିଳେଇବଣି ବ୍ଲକର ୨୦ଟି ପଞ୍ଚାୟତରେ ୧୯,୮୬୨ କାର୍ଡ ବଣ୍ଟାଯିବାକୁ ଥିବାବେଳେ ଦେବଗଡ଼ ପୌରପରିଷଦ ଅନ୍ତର୍ଗତ ୧୧ଟି ୱାର୍ଡରେ ୩,୫୦୯ଜଣ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ବିଏସକେୱାଇ ଯୋଜନା ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯିବା ସହ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ରଥକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ପତାକା ଦେଖାଇ ଉଦଘାଟନ କରିଥିଲେ। ଏଥିସହିତ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିବା ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ।