ଘରୁ ଡାକିନେଇ ବିଭତ୍ସ ହତ୍ୟା

ଖୋର୍ଦ୍ଧା, ଏନ୍ଏନ୍ଏନ୍: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ଘରୁ ଡାକି ନେଇ କାଜୁ ଜଙ୍ଗଲରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଖାରଡ଼ପଲ୍ଲୀ ଗାଁର ଦୁଇଜଣ ଯୁବକ ଗତକାଲି ରାତି ପ୍ରାୟ ୯ଟା ବେଳେ ବୀରବର ବେହେରାଙ୍କ ପୁଅ ସତ୍ୟସୁନ୍ଦରଙ୍କୁ ଘରୁ ଡାକି ନେଇଥିଲେ। ହେଲେ ରାତିରେ ଆଉ ସତ୍ୟସୁନ୍ଦର ଘରକୁ ଫେରିନଥିଲେ। ଆଜି ସକାଳେ ତାଙ୍କର କ୍ଷତିବିକ୍ଷତ ମୃତଦେହ ବରଡାଳିଆ କାଜୁ ଜଙ୍ଗଲରୁ ମିଳିଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କୋଦବାରିଣୀ-ଭାପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବାଂକୋଇ ଫାଣ୍ଡି ଓ ବୋଲଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ରାସ୍ତାରୋକ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି।