୪ ମାସ ହେଲା ଦରମା ମିଳିନଥିବାରୁ ଆଇଫୋନ ନିର୍ମାଣ କମ୍ପାନୀରେ ଭଙ୍ଗାରୁଜା କଲେ କର୍ମଚାରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଇଫୋନ୍ ନିର୍ମାତା କମ୍ପାନୀ ଉଇଷ୍ଟ୍ରନର ବେଙ୍ଗାଲୁରୁ କାର୍ଯ୍ୟାଳୟରେ କର୍ମଚାରୀମାନେ ଭଙ୍ଗାରୁଜା କରିବା ସହ ବାହାରେ ଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଦୀର୍ଘ ୪ ମାସ ହେବ ଦରମା ନମିଳିବାରୁ କର୍ମଚାରୀମାନେ ରାଗରେ ଏଭଳି ଉନ୍ମୁକ୍ତ କାଣ୍ଡ କରିଥିବା ସୂଚନା ମିଳିଛି। ତାଇୱାନ କମ୍ପାନୀ ଉଇଷ୍ଟ୍ରନ ସେଣ୍ଟ୍ରାଲ ବେଙ୍ଗାଲୁରୁରେ ଏକ କାରଖାନା କରି ଆଇଫୋନ ଓ ଅନ୍ୟ ମୋବାଇଲ କମ୍ପାନୀମାନଙ୍କ ପାଇଁ ମୋବାଇଲ ପ୍ରସ୍ତୁତ କରୁଥିଲା। କର୍ମଚାରୀମାନଙ୍କ ଏଭଳି ଘଟଣାକୁ କର୍ଣ୍ଣାଟକ ସରକାର ନିନ୍ଦା କରିବା ସହ କର୍ମଚାରୀମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି।

କର୍ଣ୍ଣାଟକର କୋଲାର ଜିଲ୍ଲା ନର୍ସପୁରରେ ଥିବା ଉଇଷ୍ଟ୍ରନ କମ୍ପାନୀରେ ଆଜି କର୍ମଚାରୀମାନେ ନାରାବାଜି କରିବା ସହ କାର୍ଯ୍ୟାଳୟ ଉପରେ ପଥରମାଡ଼ କରିଥିଲେ। ଏହାସହ କମ୍ପାନୀର ବୋର୍ଡ ଓ ଗାଡିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଜଣେ ଟ୍ରେଡ ୟୁନିୟନ ନେତାଙ୍କ କହିବା ମୁତାବକ ଏଠାରେ କାମ କରୁଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଧିକାଂଶ କର୍ମଚାରୀ ଏଠାରେ ଚୁକ୍ତି ଭିତ୍ତିରେ ଚାକିରି କରୁଛନ୍ତି। ହେଲେ କମ୍ପାନୀ ପକ୍ଷରୁ ସେମାନଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ କରାଯାଉ ନାହିଁ। ଏହା ସହ ଯେତେବେଳେ ବି ଦରମା ଦିଆଯାଉଛି ସେତେବେଳେ ବିଭିନ୍ନ ଆଳରେ କର୍ମଚାରୀମାନଙ୍କ ଦରମା କାଟି ଦିଆଯାଉଛି। ଏହାକୁ ନେଇ ଅନେକ ଦିନ ଧରି କର୍ମଚାରୀମାନଙ୍କ ଭିତରେ ଅସନ୍ତୋଷ ଥିଲା, ଯାହାକି ଆଜି ପ୍ରତିବାଦର ରୂପ ନେଇଛି।

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ସେଠାରେ ପୁଲିସ ମୁତୟନ କରାଯାଇଛି। ଆନ୍ଦୋଳନସ୍ଥଳରେ ପୁଲିସ ପହଞ୍ଚି ଲାଠି ଚାର୍ଜ କରିବା ପରେ ଆନ୍ଦୋଳନରତ କର୍ମଚାରୀମାନେ ଘଟଣାସ୍ଥଳ ଛାଡି ଦେଇଥିଲେ। କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ତଥା ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ମନ୍ତ୍ରୀ ଡ. ସି. ଅକ୍ଷତନାରାୟଣ ଟ୍ୱିଟ ଯୋଗେ କହିଛନ୍ତି କି, କୌଣସି ବି ପରିସ୍ଥିତିରେ ଆଇନକୁ ହାତକୁ ନେବା ଏକ ଅପରାଧ। କାରଣ ପ୍ରତିଟି ସମସ୍ୟାକୁ ସମାଧାନ କରିବାକୁ ସରକାରଙ୍କ ପାଖରେ ବିଭାଗର ଅଭାବ ନାହିଁ। ସେ ଆହୁରି କହିଛନ୍ତି କି ହିଂସା କରିଥିବା କର୍ମଚାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ। ଏହାସହ କର୍ମଚାରୀମାନେ ସେମାନଙ୍କ ବକେୟା ଦରମା କିଭଳି ପାଇବେ ସେ ନେଇ ସରକାର ତୁରନ୍ତ ପଦକ୍ଷେପ ନେବେ।