ପୁଲିସକୁ ଏଟିଏମ ଲୁଟର ଡେମୋ ଦେଖାଇଲେ ଚୋର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ପଟିଆରେ ଥିବା ପିଏନ‌ବି ଏଟିଏମ‌ରୁ ୨୭ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ୍ କରିଛି ଭୁବନେଶ୍ୱର ପୁଲିସ। ଆନ୍ଧ୍ର ପ୍ରଦେଶର ଭାଇଜାଗରୁ ରିମାଣ୍ଡରେ ଆଣି ଭୁବନେଶ୍ୱର କମିସନରେଟ୍ ପୁଲିସ ଆଜି ଦୁହିଁଙ୍କୁ ନେଇ ଏଟିଏମ୍ ଲୁଟ‌ର ଡେମୋ କରାଇଛି।
ଦୁହେଁ କିପରି ଲୁଟ୍ କରିଥିଲେ, କେଉଁ ଟେକ୍ନୋଲୋଜି ଆପଣାଇଥିଲେ, ତାହା ପୁଲିସ ଆଗରେ କରି ଦେଖାଇଛନ୍ତି। ସେପଟେ ଏଟିଏମ୍ ଲୁଟ୍ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ଲାଗି ପୁଲିସ ଦୁହିଁଙ୍କୁ ଜେରା କରିବ।

ଅକ୍ଟୋବର ୧୦ରେ ପଟିଆ ପିଏନ‌ବି ଏଟିଏମ୍ ଲୁଟ୍ କରିବା ପରେ ଦୁହେଁ ଏୟାରପୋର୍ଟ ଯାଇ ସେଠାରୁ ଚଣ୍ଡୀଗଡ଼ ଓ ପରେ ଭାଇଜାଗ ଯାଇଥିଲେ। ଭାଇଜାଗରେ ଗୋଟିଏ ଏଟିଏମ ଲୁଟ୍ କରି ପୁଲିସ ହାତରେ ଧରାପଡ଼ିଥିଲେ। ଏପଟେ ଦୁହିଁଙ୍କୁ ଖୋଜୁଥିବା ଭୁବନେଶ୍ୱର କମିସନରେଟ୍ ପୁଲିସ ଖବର ପାଇ ଆନ୍ଧ୍ର ପୁଲିସ ସହ ଯୋଗାଯୋଗ କରିଥିଲା। ଦୁହିଁଙ୍କୁ ରିମାଣ୍ଡରେ ଆଣିବାକୁ ଉଦ୍ୟମ କରିଥିଲା। ଗତକାଲି ଦୁହିଁଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା। ଦୁଇ ଅଭିଯୁକ୍ତ ହେଲେ ପଞ୍ଜାବର ସମରଜ୍ୟୋତ ସିଂ ଓ କେରଳର ଜାଫର ସାଦ୍ଦିକ।