ମାଜିଷ୍ଟ୍ରେଟ ଉପସ୍ଥିତିରେ ବାଉଁଶୁଳି ପଞ୍ଚାୟତର ପିଇଓ କାର୍ଯ୍ୟାଳୟର ତାଲା ଭାଙ୍ଗିଲେ ବିଡ଼ିଓ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର ପିଇଓ ବିଜୟ ଜେନାଙ୍କ ପଞ୍ଚାୟତ କାର୍ଯ୍ୟାଳୟର ତାଲାକୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗା ଯାଇଛି। ସୂଚନା ଅନୁଯାୟୀ ବାଉଁଶୁଳି ପଞ୍ଚାୟତର ପିଇଓ ବିଜୟ କୁମାର ଜେନା ଦୀର୍ଘ ଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁନଥିବାରୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ମଙ୍ଗଳବାର ଅପରାହ୍ଣରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ଉପସ୍ଥିତିରେ ତାଙ୍କ କାର୍ଯ୍ୟାଳୟକୁ ଖୋଲି ଆଲମିରାର ଚାବି ଭାଙ୍ଗି ଜରୁରୀ କାଗଜ ପତ୍ରର ଯାଞ୍ଚ କରିଛନ୍ତି।

ଏହି ସମୟରେ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ଜିପିଓ ରଶ୍ମିରେଖା ମହାନ୍ତି, ହେଡ କ୍ଲର୍କ ପୂର୍ଣ୍ଣ ଚନ୍ଦ୍ର ବାରିକ, ପଞ୍ଚାୟତର ସରପଞ୍ଚ କ୍ଷେତ୍ରବାସୀ ମହାନ୍ତ, ଜିଆରଏସ ଦୁର୍ଲ୍ଲଭ ମହାନ୍ତ ସମେତ ତୁରୁମୁଙ୍ଗା ପୁଲିସ ଉପସ୍ଥିତ ଥିଲେ। ତେବେ ପଞ୍ଚାୟତରେ ନୂତନ ପିଇଓଙ୍କୁ ଦାୟିତ୍ୱ ନ ଦିଆଯିବା ପର୍ଯ୍ୟନ୍ତ ଜିଆରଏସଙ୍କୁ ପଞ୍ଚାୟତର ଦାୟିତ୍ୱ ଦିଆଯାଇଥିବା ପାଟଣା ବିଡିଓ ସୂଚନା ଦେଇଛନ୍ତି।