ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବୁଢୀଜାମ ଅଞ୍ଚଳରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ କରୋନା ସଂକ୍ରମିତଙ୍କ ଘରକୁ କେନ୍ଦ୍ର ବିନ୍ଦୁ ହିସାବରେ ବ୍ରଜରାଜନଗରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ଏହି ଜୋନଟି ବ୍ରଜରାଜନଗରର ପାଟଜୋଶୀ ଛକଠୁ ଆରମ୍ଭ ହୋଇ ଆମ୍ବେଦକର ଛକ, ଗୁଧବାବା ମନ୍ଦିର, ଗୁଲାପରା ଦୁର୍ଗା ମନ୍ଦିର, ସୁବାସ ଛକ ଶିବ ମନ୍ଦିର, ଟନଲ୍ସ ରୋଡ, ରେଳ ପାଠକ, ଲଜକୁରା ରୋଡ, ସିତାରା ଛକ, ସାନ ଜୋବ ପ୍ରାଥମିକ ବିଦ୍ୟାଳୟ, ରାମଗଡ଼ ପୋଖରୀ, ମାଇନ୍ସ ନମ୍ବର ୩ ରୋଡ ଛକ ଦେଇ ପୁଣି ପାଟଜୋଶୀ ଛକକୁ ଆସିଛି। ଏହି କଣ୍ଟେନମେଣ୍ଟ ଜୋନରେ ସମସ୍ତ ଚଳପ୍ରଚଳ ଉପରେ ରୋକ ଲଗାଯାଇଛି। ବୁଧବାର ସକାଳ ୮ଟାରୁ ପୁଲିସର କଡା ପଇଁତରା ଭିତରେ ଏହି ଅଞ୍ଚଳ ରହିଛି। ଏହି କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ପ୍ରଶାସନ ଏକ ବଫର ଜୋନ ମଧ୍ୟ ତିଆରି କରିଛି।
ଏହା ବାଇପାସ ରୋଡ ଦେଇ ଏମସିଏଲ କଲ୍ୟାଣ ମଣ୍ଡପ, ଜିଏମ କମ୍ଲେକ୍ସରୋଡ, ଖଲିଆକାନୀ ଛକ, ପାୱାର ହାଉସ ଛକ, ଭୁତ ବଙ୍ଗଳା ଛକ, ଇଏସଆଇ ଛକ, ବିଜୁ ପଟ୍ଟନାୟକ ଛକ, ଅଣ୍ଡାଛକ, ଟନଲ ରୋଡ, ଗହଗାନଗର ଛକ, ଗୋପୀ ବାହାର ରୋଡ, ରେଲୱେ ଫାଟକ ସାନ ଜୋବ ଛକ, ମାଇନ୍ସ ନମ୍ବର ୩ କଲୋନୀ, ବାଇପାସ ରୋଡକୁ ଆସିଛି। ଏହି ଅଞ୍ଚଳରେ ମେଡିସିନ ତଥା ଡାକ୍ତରଖାନକୁ ଯିବା ପାଇଁ ଅନୁମତି ଥିବାବେଳେ ଜିଲ୍ଲା ପ୍ରଶାସନର ଅନୁମତି ପରେ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡିର ଚଳାଚଳ ଓ ଅତ୍ୟାବଶ୍ୟକ ଖାଉଟୀ ସାମଗ୍ରୀର ହୋଲ ସେଲିଂ କରାଯାଇ ପାରିବ।