ବକ୍ସିଂ ଡେ’ ଟେଷ୍ଟ୍‌: ରାହୁଲ ୧୨୨*, ଭାରତ ୨୭୨/୩

ସେଞ୍ଚୁରିଅନ୍‌,ଏଜେନ୍ସି: ଗୋଟିଏ ପରେ ଗୋଟିଏ ଦୁର୍ଗ ଭେଦିବାରେ କେଏଲ୍‌ ରାହୁଲଙ୍କ ଯାତ୍ରା ଜାରି ରହିଛି। ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ପରେ ଏବେ ଦକ୍ଷିଣ ଆଫ୍ରିକା ମାଟିରେ ମଧ୍ୟ ଶତକ (୧୨୨*, ୨୪୮ ବଲ୍‌, ୧୬ ଚୌକା, ୧ ଛକା) ଜମାଇଛନ୍ତି। ରବିବାର ବକ୍ସିଂ ଡେ’ ଟେଷ୍ଟ୍‌ର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୨ ରନ୍‌ର ଅପରାଜିତ ପାଳି ଖେଳି ରାହୁଲ ଭାରତକୁ ଦୃଢ଼ ମୂଳଦୁଆ ପ୍ରଦାନ କରିଛନ୍ତି। ଭାରତ ପ୍ରଥମ ଦିନରେ ୩ ୱିକେଟ୍ ହରାଇ ୨୭୨ ରନ୍‌ ସଂଗ୍ରହ କରିଛି। ରାହୁଲ ଦିନ ତମାମ ବ୍ୟାଟିଂ କରି ଭାରତୀୟ କ୍ରିକେଟ୍‌ର ନବ ଉନ୍ମେଷ ତାରକା ପାଲଟିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ନବ ନିଯୁକ୍ତ ଉପ ଅଧିନାୟକ ରବିବାର ତାଙ୍କ ସପ୍ତମ ଟେଷ୍ଟ୍ ଶତକ ପୂର୍ଣ୍ଣ କରିଥିବାବେଳେ ଏଥିରୁ ବିଦେଶ ମାଟିରେ ୬ଟି ସାମିଲ ରହିଛି।

ଏସିଆ ବାହାରେ ସର୍ବାଧିକ ଶତକ ହାସଲକାରୀ ତାଲିକାରେ ମଧ୍ୟ ରାହୁଲ (୫) କିଂବଦନ୍ତି ବ୍ୟାଟର୍‌ ସୁନିଲ ଗାଭାସ୍କର (୧୫)ଙ୍କ ତଳକୁ ଦ୍ବିତୀୟରେ ପହଞ୍ଚିଯାଇଛନ୍ତି। ରବିବାର ସେ ବୀରେନ୍ଦ୍ର ସେହବାଗ (୪)ଙ୍କୁ ଅତିକ୍ରମ କରିଥିଲେ। ବିନୁ ମଙ୍କଡ ଓ ରବି ଶାସ୍ତ୍ରୀ (ଉଭୟ ୩ ଲେଖାଏଁ ବିଦେଶ ଶତକ)ଙ୍କୁ ସେ ପୂର୍ବରୁ ପଛରେ ପକାଇସାରିଥିଲେ। ତିନି ପ୍ରମୁଖ କ୍ରିକେଟ୍ ଦେଶ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିବାରେ ରାହୁଲ ମଧ୍ୟ ସଇଦ୍ ଅନୱାର, କ୍ରିସ ଗେଲ୍‌ଙ୍କ ସମକକ୍ଷ ହୋଇଛନ୍ତି। ଏସିଆ ବାହାରେ ଏକ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ୨୭୨/୩ ସ୍କୋର୍‌ କରିବା ଭାରତ ପାଇଁ ତୃତୀୟ ସର୍ବୋଚ୍ଚ। ୨୦୦୧-୦୨ରେ ବ୍ଲୋଏମ୍ଫଟନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୭୨/୭ ଏବଂ ୨୦୧୬ରେ ନର୍ଥସାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ୩୦୨/୪ ଏ ପର୍ଯ୍ୟନ୍ତ ପ୍ରଥମ ଦିନରେ ସର୍ବାଧିକ ବିଦେଶ ମାଟି ସ୍କୋର୍‌ ଥିଲା।

ରାହୁଲ ରବିବାର ପ୍ରଥମ ୱିକେଟ୍‌ ପାଇଁ ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ୧୧୭ ରନ୍‌ ଉଠାଇଥିଲେ। ଲଗାତାର ବଲରେ କିନ୍ତୁ ମୟଙ୍କ ଏବଂ ପୂଜାରାଙ୍କୁ ଏନ୍‌ଗିଡି ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟାବର୍ତନ ସ‌ୁଯୋଗ ଦେଇଥିଲେ। ଚାପରେ ଥିବା ପୂଜାରା ପ୍ରଥମ ବଲରେ ଆଉଟ୍ ହୋଇ ପୁଣି ନିରାଶା ଭିତରେ ରହିଲେ। ଅଧିନାୟକ ବିରାଟ କୋହଲି ଜମିଯିବା ପରେ ମଧ୍ୟ ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ। ଏନ୍‌ଗିଡିଙ୍କ ଅଫଷ୍ଟମ୍ପ୍‌ ବାହାର ବଲକୁ ପିଛା କରି ସ୍ଲିପ୍‌ରେ ଧରାପଡ଼ିଥିଲେ।

ମୟଙ୍କ (୬୦, ୧୨୩ ବଲ୍‌, ୯ ଚୌକା)ଙ୍କ ସହ ଶତକୀୟ ଭାଗୀଦାରି ଗଢ଼ିବା ପରେ ରାହୁଲ ମଧ୍ୟ ବିରାଟ କୋହଲି (୩୫, ୯୪ ବଲ୍, ୪ ଚୌକା) ଏବଂ ଅଜିଙ୍କ୍ୟ ରାହାଣେ (୪୦*, ୮୧ ବଲ୍‌, ୮ ଚୌକା)ଙ୍କ ସହ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି ପ୍ରତିଷ୍ଠା କରି ପ୍ରଥମ ଦିନର ସମ୍ମାନକୁ ଭାରତ ସପକ୍ଷରେ ରଖିଥିଲେ। ରାହୁଲ-ମୟଙ୍କ ମଧ୍ୟ ୨୦୧୦ ମସିହା ପରେ ଦକ୍ଷଣ ଆଫ୍ରିକାରେ ଭାରତ ପାଇଁ ପ୍ରଥମ ଶତକୀୟ ଭାଗୀଦାରି କରିଥିଲେ। ସେଞ୍ଚୁରିଅନ୍‌ର ସୁପରସ୍ପୋର୍ଟ ପାର୍କ ଫ୍ଲାଟ ଟ୍ରାକ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କେବଳ ଏନ୍‌ଗିଡି (୩/୪୫) ହିଁ ୱିକେଟ୍ ଦଖଲ କରିଥିଲେ। ବିରାଟ କୋହଲିଙ୍କୁ ମଧ୍ୟ ତୃତୀୟ ଥର ସେ ଆଉଟ୍‌ କରିଥିଲେ।