ବୌଦ୍ଧ ଜିଲ୍ଲାପାଳ କରୋନା ସଂକ୍ରମିତ

ବୌଦ୍ଧ,ଏନ୍ଏନ୍ଏସ୍: ଜିଲ୍ଲାପାଳଙ୍କ ଅଫିସରେ ପଶିଲା ଭୂତାଣୁ। ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏବଂ ଜିଲ୍ଲାର ଜଣେ ନ୍ୟାୟଧୀଶ ମଧ୍ୟ କରୋନା ପଜିଟିଭ ଥିବା ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି।

ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡିକ ପରି ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ପଜିଟିଭ ମାମଲା ବୃଦ୍ଧି ପାଉଛି। ଏଠାରେ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବଢିବା ସହ ବୌଦ୍ଧରେ ଟିକାକରଣକୁ ତ୍ବରାନ୍ବିତ କରାଯାଇଛି। ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲ୍ଲାର ମୋଟ ୮ ଗୋଟି ଟିକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧା, ଯଥା ସ୍ବାସ୍ଥ୍ୟକର୍ମୀ, ପୁଲିସ, ପ୍ରଶାସନିକ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଛି।